
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀ ମୁକ୍ତ ହୋଇଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗୁଥିବା ଦୋଷୀମାନେ ମୁକ୍ତ ହେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ସୂଚନା ମିଳିଛି ଯେ କଂଗ୍ରେସ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଚ୍ୟାଲେଞ୍ଜ କରିବା। ଦୋଷୀମାନେ ମୁକ୍ତ ହେବା ପରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଏହାକୁ ଦୁର୍ଭାଗ୍ୟଜନକ ଓ ଅଗ୍ରହଣୀୟ ବୋଲି କହିଥିଲା। ଏବେ ଏହି ରାୟ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହେବ କଂଗ୍ରେସ।
କେବଳ ସେତିକି ନୁହେଁ, ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପୁଣି ଥରେ ସମୀକ୍ଷା କରିବାକୁ ଏକ ଆବେଦନ କରାଯାଇଥିଲା। ତେବେ ରାଜନୈନିକ ବାଦବିବାଦକୁ ଅଣଦେଖା କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟକୁ ନେଇ ବିଜେପି ଶାସିତ କେନ୍ଦ୍ର ସରକାର ଓ କଂଗ୍ରେସ ଦଳର ମତ ସମାନ ରହିଛି।
ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ନଳିନୀ ଏବଂ ଅନ୍ୟ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୧ ବର୍ଷ ଜେଲରେ ଥିବା ପେରାରୀବଲନଙ୍କୁ ନିକଟ ଅତୀତରେ ମୁକ୍ତ କରାଯାଇଥିଲା ।
ରିପୋର୍ଟ ଅନୁଯାୟୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ପାଇଁ ନଳିନୀ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଥିଲେ। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ବେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।