ନୂଆଦିଲ୍ଲୀ: ଦେଶର ଏବେ ଅନେକ କମ୍ପାନୀ ଛଟେଇ କରୁଥିବା ବେଳେ, ଏହାରି ମଧ୍ୟରେ ଖାଦ୍ୟ ‘ଡେଲିଭରି’ ଦେଉଥିବା ସଂସ୍ଥାନ ‘ଜମାଟୋ ମଧ୍ୟ ଛଟେଇ କରିବା ପକ୍ରିୟା ଆରମ୍ଭ କରିଛି ।ସେ ’ ତା’ର ବିଭିନ୍ନ ବିଭାଗରେ ଥିବା କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବାକୁ ନିର୍ଦେଶ ଦେଇଥିବା ‘ଲାଇଭ୍ମିଣ୍ଟ୍’ ରିପୋର୍ଟ କରିଛି।
କୁହାଯାଉଛି, କମ୍ପାନି ତା’ର କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୩% କର୍ମଚାରୀଙ୍କୁ ଛଟେଇ କରିବ।
‘ଜମାଟୋ’ ଛଟେଇ ସଂକ୍ରାନ୍ତରେ ବହୁତ କିଛି ଜାଣିଥିବା ଜଣେ ବ୍ୟକ୍ତିଙ୍କଠାରୁ ତଥ୍ୟାବଳି ସଂଗ୍ରହ କରି ‘ଲାଇଭ୍ ମିଣ୍ଟ୍’ ରିପୋର୍ଟ କରିଛି ଯେ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦ ଓ ବିପଣନ (ମାର୍କେଟିଙ୍ଗ୍) ସମେତ ଅନେକ ବିଭାଗ ଏଥିଯୋଗୁଁ ପ୍ରଭାବିତ ହେବେ।
କିନ୍ତୁ, କମ୍ପାନିର ମୁଖପାତ୍ର କହିଛନ୍ତି, ଏ ଛଟେଇ ହେଉଛି ସମ୍ପାଦନା କାର୍ଯ୍ୟ ଦକ୍ଷତା ସମୀକ୍ଷା ଆଧାରିତ ନିୟମିତ ଛଟେଇ। ଏଭଳି ପଦକ୍ଷେପରେ ଅଧିକ କିଛି ନାହିଁ।
ଉଲ୍ଲେଖଯୋଗ୍ୟ, କରୋନାଭାଇରସ୍ ମହାମାରୀ ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଯିବାରୁ ୨୦୨୦ ମେ ମାସରେ ‘ଜମାଟୋ’ ପ୍ରାୟ ୫୨୦ ବା ପ୍ରାୟ ୧୩% କର୍ମଚାରୀ ବହିଷ୍କାର କରିଥିଲା। ଛଟେଇ ପରେ ‘ଜମାଟୋ’ରେ ପ୍ରାୟ ୩,୮୦୦ କର୍ମଚାରୀ ଥିଲେ।
ଏହାଛଡ଼ା, ସାଢ଼େ ୪ ବର୍ଷ ରହିବା ପରେ ‘ଜମୋଟା’ର ସହ-ସଂସ୍ଥାପକ ମୋହିତ ଗୁପ୍ତା ମଧ୍ୟ ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ଇସ୍ତଫା ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ‘ଜମାଟୋ’ର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପିନ୍ଦର୍ ଗୋୟଲ୍ କହିଛନ୍ତି, ମୋହିତ ଗୁପ୍ତା- ଗତ କିଛି ବର୍ଷ ଧରି ତୁମେ ଥିଲ ମୋର ଭାଇ ଓ ବନ୍ଧୁ। ଚମତ୍କାର କାର୍ଯ୍ୟ କରି ତୁମେ ବିଲୁପ୍ତ ହୋଇଯାଉଥିବା କମ୍ପାନିକୁ ରକ୍ଷା କରି ବ୍ୟବସାୟକୁ ସମୃଦ୍ଧ କରି ଆମକୁ ଲାଭବାନ୍ କରିଥିଲ। ଏହାଛଡ଼ା, ଏଭଳି ବୃହତ୍ ଓ ଜଟିଳ ବ୍ୟବସାୟ ଚଳାଇବାରେ ସମର୍ଥ ହେବାକୁ ମୋତେ ଶିକ୍ଷା ଦେଇଥିଲ।
ଉଲ୍ଲେଖଯୋଗ୍ୟ, ଉଭୟ ‘ଷ୍ଟାର୍ଟଅପ୍’ ଓ ‘ଟେକ୍ ଇଣ୍ଡଷ୍ଟ୍ରି’ ସବୁ ଏବେ ଅସୁବିଧା ପରିସ୍ଥିତିରେ ଅଛନ୍ତି। ‘ଆମାଜନ୍’, ‘ମେଟା’ ଏବଂ ‘ଟୁଇଟର୍’ ଭଳି ବଡ଼ ବଡ଼ ଟେକ୍ କମ୍ପାନି ସବୁ ଭାରତ ସମେତ ବିଶ୍ବବ୍ୟାପୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି