‘ଯାହାର ଲୋକବଳ ଅଛି, ସେ ଟଙ୍କା କାହିଁକି ବାଣ୍ଟିବ ?’; ଧାମନଗର ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟିବା ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ ଦେବ ସେହି ପଞ୍ଚାୟତକୁ କୋଟିଏ ଟଙ୍କାର ପୁରସ୍କାର ମିଳିବ । ପ୍ରଚାର ସମୟରେ ନିଜ ଭାଷଣରେ କିଛି ଏଭଳି କହୁଥିବା ନଜର ଆସିଛନ୍ତି ବିଜେଡି ନେତା । ଏହି ଘୋଷଣାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି । ତେବେ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଯଦି କିଛି ଭିଡିଓ ନିର୍ଦ୍ଦିଷ୍ଟ ଭାବେ ରହିଛି ତେବେ ବିରୋଧୀ ତାହାର ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି।

ଦେବୀ କହିଛନ୍ତି ଯେ, ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ବ ପ୍ରତି ଲୋକଙ୍କର ଭାବନା ଓ ଶ୍ରଦ୍ଧା ରହିଛି । ଲୋକ ଦେଖୁଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଅଛି । ଏହି ସରକାର ହେଉଛି ବିକାଶର କାର୍ଯ୍ୟ କରୁଥିବା ସରକାର । ନବୀନ ପଟ୍ଟନାୟକ ଏହାର ସାରଥୀ । ତେଣୁ ବିଜୁ ଜନତା ଦଳ ସପକ୍ଷରେ ଏକ ମନୋଭାବ ରହିଛି । ନିର୍ବାଚନ କମିଶନରଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ପରସ୍ପର ପ୍ରତି ଦୋଷାରୋପ କରନ୍ତି । ବିଜେଡି ସେ ଦୌଡ଼ରେ ନାହିଁ । ଟଙ୍କା ଜଚା ଅଭିଯୋଗ ଭୁଲ ବୋଲି ସାଂସଦ କହିସାରିଛନ୍ତି । ଯଦି ନିର୍ଦ୍ଦିଷ୍ଟ ଭାବେ ଭିଡିଓ ଯଦି ଥିବ ସେ ପ୍ରମାଣ କରିବେ । ବିଜେଡି ଟଙ୍କା ପଇସା ଦେବାରେ ବିଶ୍ୱାସ କରେନାହିଁ । ଲୋକବଳ ଯାହାର ଅଛି, ସେ ଟଙ୍କା ଓ ପଇସା କାହିଁକି ବାଣ୍ଟିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଧାମନଗର ଉପନିର୍ବାଚନରେ ଜୋରଦାର ପ୍ରଚାର ପାଇଁ ବିଜେପିର ରୋଡ଼ମ୍ୟାପ ପ୍ରସ୍ତୁତ କରିଛି । ୨୬ ରୁ ବିଜେପିର ହେଭିୱେଟ ନେତା ପ୍ରଚାର ମଙ୍ଗ ଧରିବେ। ବିଜେପିରୁ ୩ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ ।୨୭, ୨୮ ରେ ଧାମନଗରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ପ୍ରଚାର ମଇଦାନକୁ ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ । ଲୋକଙ୍କ ସହ ଯୋଡ଼ି ହେବା ସହ ଭଦ୍ରକ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ ବିଜେପି ।

ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଦେବୀ ମିଶ୍ର। ସେ କହିଛନ୍ତି ଯେ, ରାଜ୍ୟର ନେତା କେନ୍ଦ୍ରମନ୍ତ୍ରୀ ଭାବେ ଅଛନ୍ତି । ତାଙ୍କ ଦଳ କଥା ସେ ବିଚାର କରିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନେ ବି ପ୍ରଚାରରେ ଓହ୍ଲାଇବେ । ପଡୋଶୀ ରାଜ୍ୟର ନେତା ବି ଅଛନ୍ତି, ସେମାନେ ଆସିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି । ତାଙ୍କ ନାଁରେ ଭୋଟ ଅଛି । ଯଦି ଇଚ୍ଛା କରିବେ, ସେ ଯେକୌଣସି ମାଧ୍ୟମରେ ବାର୍ତ୍ତା ଦେବେ । ନବୀନ ବାବୁ ନିଜ ଶାସନ କାଳରେ ବହୁ ବିକାଶ କରିଛନ୍ତି ତେଣୁ ଧାମନଗରର ଜନମତ ବିଜୁ ଜନତା ଦଳ ସପକ୍ଷରେ ଯିବ ବୋଲି ସେ କହିଛନ୍ତି।

Related Posts