ପୁଲିସ ହେପାଜତରେ ରହିବେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ, ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଲିସ ହେପାଜତରେ ରହିବେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ। ପୁଣିଥରେ ସ୍ଵତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ତେବେ ହୃଦରୋଗ ଯୋଗୁ ଅନୀଲ ବର୍ତ୍ତମାନ ଏକ ସିଟି ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ନିଜ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଜାମିନ ଆବେଦନ କରିଥିଲେ।

ତେବେ ଅନୀଲଙ୍କ ଜାମିନ ଆବେଦନ ଖାରଜ କରିବା ସହ କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ଆବଶ୍ୟକ ଅନୁସାରେ ଡାକ୍ତରୀ ଚିକିତ୍ସା ନେଉଛନ୍ତି। ଦେଶମୁଖଙ୍କ ବିରୋଧରେ ଥିବା ମାମଲା ବିପୁଳ ପରିମାଣରେ ଟଙ୍କା କାରବାର ହୋଇଛି। ଯାହା ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି ଏଣୁ ଏହି ଆବେଦନ ପାଇଁ ତାଙ୍କୁ ଜାମିନ ଦିଆଯାଇ ପାରିବ ନାହିଁ। ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଏଚ୍‌ ଗଲୱାନୀ ଆହୁରି କହିଛନ୍ତି ଯେ, ଧାରା ୧୬୪ ଅଧିନରେ ରେକର୍ଡ କରାଯାଇଥିବା ନିଲମ୍ବିତ ମୁମ୍ବାଇ ପୁଲିସ ସଚିନ ୱାଜେଙ୍କ ବୟାନ ଶୁଣାଣିରେ ଅତି ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୁଲିସ ଲଗାଇ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତ ବର୍ଷ ନଭେମ୍ବରରେ ଅନୀଲଙ୍କୁ ଗିରଫ କରିଥିଲା ଇଡି। ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ତାଙ୍କର ବିରୋଧରେ ଏନେଇ ମାମଲା ହୋଇଥିଲା। ନିକଟରେ ଏହି ମାମଲାରେ ଦେଶମୁଖଙ୍କୁ ବେଲ୍‌ ଦେଇଥିଲେ ବମ୍ବେ ହାଇକୋର୍ଟ।

Related Posts