ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନାର ଦୁଇ ଗୋଷ୍ଠୀ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ କ୍ୟାମ୍ପ ମଧ୍ୟରେ ନିର୍ବାଚନ ଚିହ୍ନ ଆବଣ୍ଟନ ଉପରେ ବିବାଦ ଜାରି ରହିଛି। ଏଥର ଶିଖ୍ ସମ୍ପ୍ରଦାୟର ନେତାମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳର ନିର୍ବାଚନ ଚିହ୍ନ ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ସିନ୍ଦେଙ୍କ ପାର୍ଟିର ନିର୍ବାଚନ ଚିହ୍ନ ଦୁଇଟି ତଲଓ୍ବାର ଓ ଢାଲ। ଏହାକୁ ନେଇ ଶିଖ ସମ୍ପ୍ରଦାୟର ଲୋକଙ୍କ କହିବା ଅନୁସାରେ, ଏହା ଖାଲସା ପନ୍ଥର ଧାର୍ମିକ ପ୍ରତୀକ। ଏହା ପୂର୍ବରୁ ପ୍ରଥମେ ସମତା ପାର୍ଟି ଉଦ୍ଧବ ଠାକରେଙ୍କ ପାର୍ଟିର ନିର୍ବାଚନ ଚିହ୍ନ ମଶାଲ ଉପରେ ପ୍ରଶ୍ନ ଉଠାଇ ସାରିଛି।
ଗୁରୁଦ୍ବାର ସଚଖଣ୍ଡ ବୋର୍ଡ ନାଦେଡର ପୂର୍ବତନ ସଚିବ ରଞ୍ଜିତ ସିଂହ କାମଥେକର ଓ ଜଣେ ସ୍ଥାନୀୟ କଂଗ୍ରେସ ନେତା ନିର୍ବାଚନ କମିଶନ୍(ଇସି)କୁ ଚିଠି ଲେଖି ଏକନାଥ ସିନ୍ଦେଙ୍କ ପାର୍ଟି ପାଇଁ ନିର୍ବାଚନ ଚିହ୍ନକୁ ଅନୁମତି ନଦେବା ପାଇଁ କହିଛନ୍ତି। ତାଙ୍କର କହିବା ଅନୁସାରେ, ଏହି ଚିହ୍ନର ଧାର୍ମିକ ଅର୍ଥ ରହିଛି। ଯଦି ନିର୍ବାଚନ କମିଶନ୍ ଦ୍ବାରା କୌଣସି ହସ୍ତକ୍ଷେପ ନିଅନ୍ତି ନାହିଁ, ତେବେ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ କୋର୍ଟ ଯାଇପାରନ୍ତି। ଶିଖ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି, ଆମ ଧର୍ମଗୁରୁ, ଶ୍ରୀ ଗୁରୁଗୋବିନ୍ଦ ସିଂହ ଖାଲସା ପନ୍ଥ ଧାର୍ମିକ ପ୍ରତୀକ ରୂପରେ ତଲଓ୍ବାର ଓ ଢାଲକୁ ସ୍ଥାପିତ କରିଥିଲେ। ‘କାମଥେକର କହିଛନ୍ତି, ଏହି ଦୁଇ ଗୋଷ୍ଠୀର ପୂର୍ବ ନିର୍ବାଚନ ଚିହ୍ନ ତ୍ରିଶୂଳ ଓ ଗଦାକୁ ନିର୍ବାଚନ କମିଶନ ଏହା କହି ଖାରଜ୍ କରିଦେଇଥିଲେ ଯେ, ଏହି ଚିହ୍ନର ଧାର୍ମିକ ଅର୍ଥ ରହିଛି।
କାମଥେକର କହିଛନ୍ତି, ମୁଁ ନିର୍ବାଚନ କମିଶନ୍ଙ୍କ ଦୃଷ୍ଟିରେ ଆଣିବାକୁ ଚାହୁଁଛି ଯେ, ସିନ୍ଦେ ଗୋଷ୍ଠୀକୁ ଆବଣ୍ଟିତ ନିର୍ବାଚନ ଚିହ୍ନର ମଧ୍ୟ ଧାର୍ମିକ ପ୍ରଭାବ ରହିଛି। ମୁଁ ଆଶା କରୁଛି ଯେ, ନିର୍ବାଚନ କମିଶନ୍ ଏହା ଉପରେ ଧ୍ୟାନ ଦିଅନ୍ତୁ।’ ସେ କହିଛନ୍ତି, ସୋମବାର ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କୁ ଭେଟିବା ପରେ ନିର୍ବାଚନ କମିଶନ୍ଙ୍କୁ ଏକ ଔପଚାରିକ ପତ୍ର ପଠାଯିବ। ଏହା ସହିତ ସେ ନିର୍ବାଚନ କମିଶନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ରାଜନେତାଙ୍କୁ ଟ୍ବିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି।