ବିଶ୍ଵରେ ମଙ୍କିପକ୍ସ ମାମଲା ୭୦ ହଜାର ପାର୍, ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ଵରେ ମଙ୍କିପକ୍ସ ମାମଲା ଲଗାତାର ବଢ଼ିବାରେ ଲାଗିଛି । ବୈଶ୍ୱିକ ସ୍ତରରେ ଏହି ସଂଖ୍ୟା ଏବେ ୭୦ ହଜାର ଉପରେ ପହଞ୍ଚିଛି । ଅବଶ୍ୟ ଏହି ସଂକ୍ରମଣରେ ଏବେ ହ୍ରାସ ମଧ୍ୟ ପରିଲକ୍ଷିତ ହୋଇଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବୁଧବାର ଏନେଇ ସତର୍କ ସୂଚନା ଜାରି କରିଛି। ହୁ କହିଛି ଯେ, ନୂଆ ମାମଲାରେ ହ୍ରାସର ଅର୍ଥ ନୁହେଁ ଯେ ଏହା ଲୋକଙ୍କୁ ମଙ୍କିପକ୍ସ ଠାରୁ ବର୍ତ୍ତିବା ପାଇଁ ଆପଣାଇବାକୁ ପଡ଼ୁଥିବା ଉପାୟକୁ ଛାଡ଼ି ଦେବା ଦରକାର ।’ହୁ’ କହିଛି ଯେ ଆମେରିକାରେ ଏହି ମାମଲାର ସଂଖ୍ୟା ବଢ଼ୁଛି ।

ରିପୋର୍ଟ ଅନୂଯାୟୀ, ‘ହୁ’ ମୁଖ୍ୟ ଡା.ଟେଡ୍ରୋସ ଅଧୋନମ ଗେବ୍ରିୟସ କହିଛନ୍ତି ଯେ, ଚଳିତ ବର୍ଷ ଆମେରିକାରେ ୭୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଏହାଦ୍ୱାରା ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହେଲାଣି । ଜେନିଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବୈଶ୍ୱିକ ସ୍ତରରେ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଗତ ସପ୍ତାହରେ ୨୧ ଦେଶରେ ନୂଆ ମାମଲାରେ ବୃଦ୍ଧି ଦେଖାଯାଇଛି । ଏହି ବୃଦ୍ଧି ଅଧିକାଂଶ ଆମେରିକାରେ ଦେଖାଯାଇଛି । ଯାହା ଗତ ସପ୍ତାହରେ ରୁଜୁ ହୋଇଥବା ସଂକ୍ରମଣ ମାମଲାର ପ୍ରାୟ ୯୦ ପ୍ରତିଶତ ।

ସେ ଆହୁରି କହିଛନ୍ତି ଯେ ‘ହୁ’ ପ୍ରଭାବିତ ଦେଶ ସହ ମଙ୍କିପକ୍ସ ପାଇଁ ଟେଷ୍ଟ କ୍ଷମତା ବଢ଼ାଇବା ଏବଂ ମାମଲାର ସଂଖ୍ୟା ଉପରେ ନିରୀକ୍ଷଣ କରିବା ପାଇଁ କାମ କରୁଛନ୍ତି । ସେ ଆଗକୁ କହିଛନ୍ତି ଯେ କୋଭିଡ-୧୯ ଭଳି ମଙ୍କିପକ୍ସ ମଧ୍ୟ ବୈଶ୍ୱିକ ସମୁଦାୟ ପାଇଁ ସମସ୍ୟା ପାଲଟିଛି ।

ମଙ୍କିପକ୍ସଠାରୁ ସବୁଠୁ ଅଧିକ ପ୍ରଭାବିତ ବର୍ତ୍ତମାନ ଆମେରିକା ରହିଛି । ଏହାପରେ ରହିଛି ୟୁରୋପ, ୟୁରୋପରେ ୨୫ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସବୁଠୁ ଅଧିକ ମାମଲା ୧୦ ଦେଶ ମଧ୍ୟରେ ଆମେରିକାରେ ୨୬,୭୨୩, ବ୍ରାଜିଲରେ ୮,୧୪୭, ସ୍ପେନରେ ୭,୨୦୯, ଫ୍ରାନ୍ସରେ ୪,୦୪୩, ବ୍ରିଟେନରେ ୩,୬୫୪, ଜର୍ମାନୀରେ ୩,୬୪୦, ପେରୁରେ ୨,୫୮୭, କଲମ୍ବିଆରେ ୨,୪୫୩, ମେକ୍ସିକୋରେ ୧,୯୬୮ ଏବଂ କାନାଡାରେ ୧୪୦୦ ମାମଲା ରେକର୍ଡ ହୋଇଛି ।

Related Posts