ସରପଞ୍ଚ ପ୍ରାର୍ଥୀଙ୍କ ଅଜବ ପ୍ରତିଶ୍ରୁତି: ଜିତିଲେ ମେକଅପ୍ କିଟ୍ସ ସହ ପ୍ରତିଦିନ ମଦ୍ୟପଙ୍କୁ ମାଗଣାରେ ମିଳିବ ମଦ ବୋତଲ

ଚଣ୍ଡିଗଡ: ନିର୍ବାଚନ ଆସିଲେ ପ୍ରାର୍ଥୀ ଓ ନେତାଙ୍କ ହୁଏ ପ୍ରତିଶ୍ରୁତି ବର୍ଷା । ଆକାଶ ଛୁଆଁ ଆଶା ଦେଖାଇ ଭୋଟ ହାତେଇବାକୁ ଚେଷ୍ଟା କରନ୍ତି ପ୍ରାର୍ଥୀ ।


ତେବେ ଏହାରି ମଧ୍ୟରେ ହରିୟାଣାର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ତାଙ୍କର ନିର୍ବାଚନ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ପୋଷ୍ଟରରେ ଲେଖାଯାଇଛି, ଯଦି ସେ ସରପଞ୍ଚ ନିର୍ବାଚିତ ହୁଅନ୍ତି, ତାହାହେଲେ ଗାଁରେ ତିନୋଟି ଏୟାରପୋର୍ଟ ତିଆରି କରିବେ । ଗ୍ରାମର ସବୁ ମହିଳାଙ୍କୁ ମାଗଣାରେ ମେକଅପ୍ କିଟ୍ସ ଦେବେ । ଗାଁ ଆଡ୍ଡାରେ ପ୍ରତିଦିନ ସରପଞ୍ଚଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । ଆପଣଙ୍କୁ ଏହା ଅଜବ ଲାଗୁଥିବ ନିଶ୍ଚୟ । ମାତ୍ର ଏତିକିରେ ଏହି ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ସରିନାହିଁ ।

ତାଙ୍କର ପୋଷ୍ଟର ଆହୁରିମଧ୍ୟ ଲେଖିଛନ୍ତି ଯେ, ଗାଁରେ ପେଟ୍ରୋଲ ଲିଟର ୨୦ ଟଙ୍କା କରିଦେବେ । ଜିଏସଟି କୁ ହଟାଇ ଦେବେ । ପ୍ରତି ଗ୍ୟାସ ସିଲିଣ୍ଡର ପିଛା ଦାମ୍ ୧୦୦ ଟଙ୍କା ହୋଇଯିବ । ପ୍ରତ୍ୟେକ ପରିବାରକୁ ଗୋଟିଏ ମାଗଣାରେ ବାଇକ୍ ଯୋଗାଇ ଦେବେ । ଗାଁ ସିରସଢରୁ ଦିଲ୍ଲୀକୁ ମେଟ୍ରୋ ଚଳାଚଳ କରିବ । ମାଟିତଳୁ ବିଦ୍ୟୁତ ସଂଯୋଗ ଏବଂ ଉପରୁ ପାଇପ ଲାଇନ ସଂଯୋଗ ବ୍ୟବସ୍ଥା କରିବେ । ଗାଁରେ ଫ୍ରି ୱାଇଫାଇ ସୁବିଧା କରିବେ । ଗାଁର ସବୁ ଯୁବକମାନଙ୍କୁ ସରକାରୀ ଚାକିରି ଯୋଗାଇବେ । ମଦପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଗୋଟିଏ ମଦ ବୋତଲ ଦେବେ । ଗାଁରୁ ଗୋହାନାକୁ ପ୍ରତି ୫ ମିନିଟ୍‌ରେ ହେଲିକପ୍ଟର ଉଡିବ ବୋଲି ପୋଷ୍ଟରରେ ଲେଖିଛନ୍ତି ସରପଞ୍ଚ ପ୍ରାର୍ଥୀ ।

ଏହି ପ୍ରାର୍ଥୀ ହେଉଛନ୍ତି ହରିୟାଣା ସିରସଢ ଗ୍ରାମର ଜୟକରଣ ଲଥୱାଲ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କର ଏହି ନିର୍ବାଚନୀ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏପରିକି ଆଇପିଏସ୍ ଅରୁଣ ବୋଥ୍ରା ନିଜର ଟ୍ବିଟର ହ୍ୟାଣ୍ଡେଲରେ ଜୟକରଣଙ୍କ ପୋଷ୍ଟରକୁ ସେୟାର କରିଛନ୍ତି ଏବଂ ତାଙ୍କ ଦ୍ବାରା ବର୍ଣ୍ଣିତ ସୁବିଧା ପାଇଁ ସେ ସେହି ଗାଁକୁ ପଳାଇଯିବେ ।

Related Posts