ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପୂର୍ବତନ ୩୦ ଜଣ ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଗୁଜରାଟ ଗସ୍ତ ସମୟରେ କେଜରିୱାଲ ଦେଶର ପୋଲିସଙ୍କର ମନୋବଳକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକୃତରେ, ଏହି ପୂରା ଘଟଣା କେଜରିୱାଲଙ୍କ ଗୁଜରାଟ ଗସ୍ତ ସହିତ ଜଡିତ। ନିକଟରେ ଗୁଜୁରାଟ ଗସ୍ତ ସମୟରେ କେଜରିୱାଲ ଅଟୋରେ ବସି ଜଣେ ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରି ଭୋଜନ କରିବାକୁ ଯାଉଥିବାବେଳେ ପୋଲିସ କର୍ମଚାରୀମାନେ ତାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଅଟୋରେ ବସିବାକୁ ବାରଣ କରିଦେଇଥିଲେ। ଏହି ସମୟରେ କେଜରିୱାଲ ଓ ସେଠାରେ ଥିବା ପୋଲିସ କର୍ମଚାରୀଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।
ଏନେଇ ଅଭିଯୋଗ ହୋଇଛି ଯେ, ଏହି ସମୟରେ କେଜରିୱାଲ ପୋଲିସ କର୍ମଚାରୀଙ୍କ ବିରୋଧରେ କିଛି ଘୃଣ୍ୟ ତଥା ଅସଙ୍ଗତ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପୋଲିସର ମନୋବଳକୁ ଗଭୀର ଆଘାତ ଦେଇଛି। କେଜରିୱାଲ ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ପୋଲିସ ତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବାଧ୍ୟ। ଏଭଳି ପରିସ୍ଥିତିରେ, କେବଳ ରାଜନୈତିକ ସ୍ବାର୍ଥ ହାସଲ କରିବା ପାଇଁ କେଜରିୱାଲ ପୋଲିସ ଅଧିକାରୀଙ୍କୁ ଅପମାନିତ କରି ସେମାନଙ୍କ ଦାୟିତ୍ୱ ତୁଲାଇବାରୁ ସେମାନଙ୍କୁ ଅଟକାଇ ଥିଲେ ଯାହାକି ଅତ୍ୟନ୍ତ ନିରାଶାଜନକ ବୋଲି ପୂର୍ବତନ ଆଇପିଏସ ଅଫିସର ମାନେ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନା ଅନୁସାରେ, ପଞ୍ଜାବର ପୂର୍ବତନ ମହାନିର୍ଦ୍ଦେଶକ ପି.ସି ଡୋଗ୍ରା, ଉତ୍ତରପ୍ରଦେଶର ପୂର୍ବତନ ମହାନିର୍ଦେଶକ ବିକ୍ରମ ସିଂ, ମହାରାଷ୍ଟ୍ରର ପୂର୍ବତନ ମହାନିର୍ଦ୍ଦେଶକ ପ୍ରବୀଣ ଦୀକ୍ଷିତ, କେରଳର ପୂର୍ବତନ ମହାନିର୍ଦ୍ଦେଶକ ଏମ.ଜି,ରମଣ, ବିହାରର ପୂର୍ବତନ ମହାନିର୍ଦ୍ଦେଶକ ଏସ.କେ. ଭରଦ୍ୱାଜ, ଆନ୍ଧ୍ରପ୍ରଦେଶର ପୂର୍ବତନ ମହାନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବଙ୍କ ସମେତ ମୋଟ ୩୦ ଜଣ ପୂର୍ବତନ ଆଇପିଏସ ଅଧିକାରୀ ଏହି ଚିଠି ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଛନ୍ତି।