ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଆସନ୍ତା ୨୭ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ: ଆମିକସକ୍ୟୁରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ନିମନ୍ତେ ଅଲୋଚନା କରାଯିବ। ରତ୍ନ ଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିବାକୁ ଏଠାରେ ନିଷ୍ପତ୍ତି ନେବ। ଏନେଇ ଆଜି ପୁରୀରେ ସୂଚନା ଦେଇଛନ୍ତି ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ୍.କେ ମହାନ୍ତି। ଶ୍ରୀମନ୍ଦିର ମରାମତି ଓ ସୁରକ୍ଷା ନେଇ ଆଜି ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି।

ସେ ଗଣମାଧ୍ୟକୁ ସେ ଆହୁରି କହିଛନ୍ତି ଯେ, ରତ୍ନ ଭଣ୍ଡାର ଖୋଲିବା ନେଇ ବୈଠକ ହେବ ବୋଲି ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଜଣାଇଛନ୍ତି। ସରକାର ଯାହା ନିଷ୍ପତ୍ତି ନେବେ ତାହା କୋର୍ଟଙ୍କୁ ମଧ୍ୟ ଅବଗତ କରିବେ। ଏହାଛଡ଼ା ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ବିଭିନ୍ନ ମରାମତି ସମ୍ପର୍କରେ ମଧ୍ୟ ଅଲୋଚନା ହୋଇଥିଲା। ବିଶେଷ ଭାବେ ଯଥାଶୀଘ୍ର ନାଟମଣ୍ଡପ ମରାମତି ହେବ ବୋଲି ବୈଠକରେ କୁହାଯାଇଛି। ମାର୍ଚ୍ଚ ସୁଦ୍ଧା ସମସ୍ତ କାମ ସରିବ ବୋଲି ଆମିକସକ୍ୟୁରି ସୂଚନା ଦେଇଛନ୍ତି।

ଆଜିର ବୈଠକ ପରେ ଶ୍ରୀମନ୍ଦିର କୋର କମିଟି ସଦସ୍ୟ ତଥା ବିଶେଷଜ୍ଞ କମିଟି ସଦସ୍ୟ ଏନ୍‌ସି ପାଲ୍ କହିଛନ୍ତି ଯେ, ନାଟମଣ୍ଡପର ବିମ୍‌ରେ ଫାଟ ଓ ପଥର ଖସିଯିବା ନେଇ ଅଲୋଚନା ହୋଇଥିଲା। ଏହାଛଡ଼ା ଜଗମୋହନ ବାହାର ପାର୍ଶ୍ୱ ମରାମତି, ରୋଷଘର ମରାମତି, କୁରୁମ ବେଢ଼ା ମରାମତି ନେଇ ଅଲୋଚନା ହୋଇଥିଲା। ନାଟମଣ୍ଡପରେ ଫାଟ ସୃଷ୍ଟି ନେଇ ଖୁବ୍‌ଶୀଘ୍ର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ତେବେ ରତ୍ନଭଣ୍ଡାର ନେଇ କ’ଣ ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଏନେଇ ଆଜିର ବୈଠକରେ କୌଣସି ଅଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି।

Related Posts