ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାପରେ ଦଳକୁ ଶକ୍ତ ଝଟ୍କା ଲାଗିଛି। ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ଜମ୍ମୁ-କଶ୍ମୀରରେ ଶେଷଥର ପାଇଁ ବିଜୟଲାଭ କରିଥିବା କଂଗ୍ରେସର ୫ଜଣ ପୂର୍ବତନ ବିଧାୟକ ମଧ୍ୟ ଆଜି ଦଳ ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଗୁଲାମ ନବୀ ଆଜାଦ୍ଙ୍କ ସମର୍ଥନରେ ଦେଇଛନ୍ତି।ଏହି ପାଞ୍ଚଜଣ ପୂର୍ବ ବିଧାୟକ ଓ ମନ୍ତ୍ରୀଙ୍କ ସହିତ ପୂର୍ବତନ ମନ୍ତ୍ରୀ ଆର.ଏସ୍ ଚିବ, ଜୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶଓ୍ବନୀ ହଣ୍ଡା ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମ୍ପର୍କ ତୁଟାଇ କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି। ଗୁଲାମ ନବୀ ଆଜାଦ ଦଳର ପ୍ରାଥମିକ ସଦସ୍ୟ ଓ ସବୁ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ସୋନିଆ ଗାନ୍ଧିଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି, ବଡ ଦୁଃଖର ସହ ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ନିଜର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।’ ୭୩ ବର୍ଷୀୟ ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସ ଛାଡିଛନ୍ତି।