ବିଧାନସଭା ସଦସ୍ୟତା ରଦ୍ଦ ଚର୍ଚ୍ଚା ଭିତରେ ବିଧାୟକ ଦଳ ବୈଠକ ଡାକିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେ ରାଜ୍ୟର ଗୋଟିଏ ଖଣି ଖାଦାନର ନିଲାମ ନିଜ ନାଁରେ କରି ଫସିଛନ୍ତି। ଅଫିସ ଅଫ ପ୍ରଫିଟ ବା ଦ୍ୱୈତ ସ୍ୱାର୍ଥ ଘଟଣାରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନ୍ ସୁପାରିସ କରିଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ହେମନ୍ତ ସୋରେନ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି।ଏହି ବୈଠକରେ ତାଙ୍କ ଦଳ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବ୍ୟତୀତ ସରକାରରେ ସାମିଲ ହୋଇଥିବା କଂଗ୍ରେସ ଓ ଅନ୍ୟ ଦଳର ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ। ନିଜ ତଥା ରାଜ୍ୟ ସରକାରଙ୍କ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ସ୍ଥିର କରିବାକୁ ଏପରି ବୈଠକ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଥିବା ଚର୍ଚ୍ଚା ହେଉଛି। ରାଞ୍ଚି ସ୍ଥିତି ସୋରେନଙ୍କ ବାସଭବନରେ ଏହି ବୈଠକ ବସିବ। ଏଥିପାଇଁ ଏବେଠାରୁ ହେମନ୍ତ ସୋରେନଙ୍କ ବାସଭବନରେ ହଲଚଲ ଆରମ୍ଭ ହୋଇଯାଇଛି। ଆଜିର ବୈଠକରେ କ’ଣ ସବୁ ନିଷ୍ପତ୍ତି ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁସାରେ, ଗୁରୁବାର ନିର୍ବାଚନ କମିଶନ ଗୋଟିଏ ଚିଠି ରାଜ୍ୟପାଳ ରମେଶ ବେସଙ୍କ ନିକଟକୁ ପଠାଇଥିଲେ। ଏଥିସହ ସେ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ କହିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ହେଲେ ଏଯାଏ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ।
ଏହାକୁ ନେଇ ହଟଚମଟ ଜାରି ରହିଥିବା ବେଳେ ରାଜ୍ୟପାଳ ରମେଶ ସାମ୍ବାଦିକ ମାନଙ୍କୁ ଏନେଇ କହିଛନ୍ତି, “ମୁଁ ଦୁଇ ଦିନ ହେଲା ଦିଲ୍ଲୀ ଏମ୍ସରେ ଥିଲି। ମୁଁ ରାଜଭନରେ ପହଞ୍ଚିବା ପରେ ପୂରା ଘଟଣା ସମ୍ପର୍କରେ ପ୍ରଥମେ ଜାଣିବି। ତା’ପରେ ମୁଁ ଏନେଇ ପ୍ରତିକ୍ରିୟା ଦେବି।”

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧିବଦ୍ଧ ଭାବେ ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରାଯାଇଥିବା ସମ୍ପର୍କରେ ଖବର ପାଇ ନାହାନ୍ତି। ସେ କେବଳ ଗଣମାଧ୍ୟମ ରିପୋର୍ଟରୁ ଏ ସମ୍ପର୍କରେ ଜାଣିବାକୁ ପାଇଥିବା କହିଛନ୍ତି। ଯଦି ହେମନ୍ତ ସୋରେନଙ୍କ ବିଧାୟକ ପଦ ସତରେ ରଦ୍ଦ ହେବ, ତା’ହେଲେ ସେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଜେଏମଏମ ପକ୍ଷରୁ କୁହାଯାଇଛି।

Related Posts