କୋଲକାତା ହାଇକୋର୍ଟରୁ ଝାଡ଼ଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ଜାମିନ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଫସେଇ ଦେଇଥିବା ଆଣିଲେ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଲକାତାରେ ଏକ କାରରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଅଭିଯୋଗ ଗିରଫ ହୋଇଥିବା ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟକଙ୍କୁ କୋଲକାତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମତରା ବିଧାୟକ ଇରଫାନ୍‌ ଅଂସାରୀ,ଖିଜରି ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରା ବିଧାୟକ ନମନ ବିକ୍ସଲଙ୍କୁ ଜାମିନ ମିଳିଛି।ଜାମିନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଅଂସାରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଜାଣିଶୁଣି ରାଜନୈତିକ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦେଇଛନ୍ତି। ଜବତ ହୋଇଥିବା ଟଙ୍କା ଆମର ଥିଲା। ଆମେ କଂଗ୍ରେସ ନୀତିରେ ପରିଚାଳିତ। ଆମେ କେବେ ମଧ୍ୟ ଭାଜପାରେ ସାମିଲ ହୋଇ ପାରିବୁ ନାହିଁ। ୩ ଜଣ ବିଧାୟକ ସରକାର ଭାଙ୍ଗି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ, ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କର ଆଶା ଆକାଂକ୍ଷା କିଭଳି ପୂରଣ ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ସୂଚନା ଅନୁସାରେ ନିକଟରେ ଝାଡ଼ଖଣ୍ଡର ଏହି ୩ଜଣ କଂଗ୍ରେସ ବିଧାୟକ କୋଲକାତାରେ ଥିଲେ। ସେ ସମୟରେ ତାଙ୍କ ଗାଡିରୁ ପୋଲିସକୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କାର ସଠିକ୍ ହିସାବ ନ ଦେଇ ପାରିବାରୁ ସେମାନଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ଝାଡ଼ଖଣ୍ଡରେ ଶାସନରେ ଥିବା ଜେଏମଏମ ଅଭିଯୋଗ ଆଣିଥିଲା ଯେ ଏହି କଂଗ୍ରେସ ବିଧାୟକ ମାନେ ବିଜେପି ଠାରୁ ଟଙ୍କା ନେଇ ରାଜ୍ୟରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

Related Posts