ଅଗଷ୍ଟ ୧୯ ତାରିଖରୁ ମାଟ୍ରିକ୍‌ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ସାର୍ଟିଫିକେଟ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ୧୯ ତାରିଖରୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ । ୧୯ ଏବଂ ୨୦ ତାରିଖ ଦୁଇ ଦିନ ଧରି ବୋର୍ଡର କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସାର୍ଟିଫିକେଟ୍‌ ପ୍ରଦାନ କରିବେ ।

ତେବେ ଏହି ସାର୍ଟିଫିକେଟ୍‌ ବଣ୍ଟନ ବନ୍ୟା ପ୍ରଭାବିତ ଅଞ୍ଚଳରେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବାଆସିବା ସମସ୍ୟା ଥିବାରୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଜିଲ୍ଲା ମୁଖ୍ୟାଳୟରେ କିମ୍ବା ବୋର୍ଡର ଜୋନାଲ୍‌ ଅଫିସଗୁଡ଼ିକରେ ଠିକ୍‌ ସମୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ ଗ୍ରହଣ କରିବାରେ ଅସୁବିଧା ହେବ ବୋଲି ଅନେକ ପ୍ରଧାନ ଶିକ୍ଷକ କହିଛନ୍ତି । ତେଣୁ ସାର୍ଟିଫିକେଟ୍‌ ବଣ୍ଟନଲାଗି ବୋର୍ଡ ପକ୍ଷରୁ ଧାର୍ଯ୍ୟ ସମୟକୁ ଆଉ କିଛି ଦିନ ଗଡ଼ାଇବା ପାଇଁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ବିଭିନ୍ନ ଜିଲ୍ଲାର ପ୍ରଧାନ ଶିକ୍ଷକମାନେ ସେମାନଙ୍କ ଡିଇଓମାନଙ୍କୁ ଅବଗତ କରିଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳ ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକମାନେ ୧୯ କିମ୍ବା ୨୦ ତାରିଖରେ ସାର୍ଟିଫିକେଟ୍‌ ନେଇନପାରିଲେ ପରବର୍ତ୍ତୀ ସମୟରେ ବୋର୍ଡର ଜୋନାଲ୍‌ ଅଫିସ୍‌ ଏବଂ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରୁ ନେବାର ସୁବିଧା ରହିଛି ।

ସୂଚନାଯୋଗ୍ୟ, ମାଟ୍ରିକ୍‌ ରେଗୁଲାର ପରୀକ୍ଷାରେ ଚଳିତ ବର୍ଷ ୮ହଜାର ୯୨୫ ବିଦ୍ୟାଳୟର ୫ ଲକ୍ଷ ୧୫ ହଜାର ୪୫୨ ଜଣ ପରୀକ୍ଷାର୍ଥୀ ପାସ କରିଥିଲେ । ସେହିପରି ୧୫୯୪ ବିଦ୍ୟାଳୟର ୧୭୨୭ ଜଣ ଏକ୍ସ ରେଗୁଲାରରେ ପାସ କରିଥିଲେ । ସମ୍ପୃକ୍ତ ପାସ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ଶେଷ ସୁଦ୍ଧା ମାଟ୍ରିକ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶନ ସମୟରେ ଘୋଷଣା କରାଯାଇଥିଲା ।

Related Posts