ବଳ ପୂର୍ବକ ଋଣ ଅସୁଲି ନେଇ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ, ଏଣିକି ଋଣ ଖିଲାପିକାରୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ହେଉ କି ଜାତୀୟକରଣ ବ୍ୟାଙ୍କ, ଏମାନେ ଋଣ ଖିଲାପିକାରୀଙ୍କ ଠାରୁ ବଳ ପୂର୍ବକ ଋଣ ଅସୁଲି କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି ।ତେବେ ବଳ ପୂର୍ବକ ଋଣ ଅସୁଲି କୁ ନେଇ କଠୋର ହୋଇଛି ରିଜର୍ଭ ବ୍ୟାଙ୍କ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କିତ ଥିବା ନିୟମକୁ କଡାକଡି କରିଛି ।ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନୋଟିସ ମୁତାବକ କୌଣସି ପରିସ୍ଥିତିରେ ଋଣଗ୍ରହୀତାଙ୍କୁ କୌଣସି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ବା ବ୍ୟାଙ୍କମାନେ ହଇରାଣ କରିପାରିବେ ନାହିଁ । ସେପଟେ ଯଦି କୌଣସି ସଂସ୍ଥା ଏହି ନିୟମର ଉଲଙ୍ଘନ କରେ ତେବେ ସେହି ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

କେବଳ ସେତିକି ନୁହେଁ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନୋଟିସ ମୁତାବକ କୌଣସି ସଂସ୍ଥା ଋଣ ଅସୁଲି ପ୍ରକ୍ରିୟାରେ ଗ୍ରାହକଙ୍କ ବନ୍ଧୁ କିମ୍ବା ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ । ଏହାସହ ଗ୍ରାହକଙ୍କ ଗୋପନୀୟତା ଉପର ହସ୍ତକ୍ଷେପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ । ସେପଟେ ଋଣ ଅସୁଲକାରୀ ଏଜେଣ୍ଟମାନେ ଋଣ ଗ୍ରହୀତାଙ୍କ ମୋବାଇଲ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁପଯୁକ୍ତ ବାର୍ତ୍ତା ପଠାଇପାରିବେ ନାହିଁ । ଏହାସହ ଗ୍ରାହକଙ୍କୁ କୌଣସି ଧମକପୂର୍ଣ୍ଣ ଫୋନ କଲ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସେପଟେ ଋଣ ରାଶି ଅସୁଲ କରିବା ପାଇଁ ସଂସ୍ଥାମାନେ ଗ୍ରାହକମାନଙ୍କୁ ସକାଳ ୮ ପୂର୍ବରୁ ଓ ରାତି ୭ ପରେ ମଧ୍ୟ ଫୋନ କଲ କରିପାରିବେ ନାହିଁ ।

ସୂଚନା ଥାଉ କି, ମୋବାଇଲ ଆପ୍ ସହାୟତାରେ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡିକ ଋଣ ରାଶି ଅସୁଲ କରିବା ପାଇଁ ବହୁ ବେଆଇନ ପଦକ୍ଷେପ ନେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ରିଜର୍ଭ ବ୍ୟାଙ୍କ । ଏନେଇ ଡିଜିଟାଲ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡିକ ପାଇଁ ରିଜର୍ଭ ବ୍ୟାଙ୍କ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରିଛି ।

Related Posts