ଜମ୍ମୁ ଓ କଶ୍ମୀର ପାର୍‌ଗଲ୍‌ସ୍ଥିତ ସେନା କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ଗୁଳି ବିନିମୟରେ 2 ଆତଂକବାଦୀ ନିହତ, 3 ଯବାନ ସହୀଦ

ଶ୍ରୀନଗର: ରାଜୌରିର ଦର୍‌ହାଲ୍‌ ଅନ୍ତର୍ଗତ ପାର୍‌ଗଲ୍‌ସ୍ଥିତ ଗୋଟାଏ ସେନା କ୍ୟାମ୍ପ୍‌ରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବାକୁ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବେଳେ, ଏଥିରେ ୨ଜଣ ଆତଙ୍କବାଦୀ ନିହତ ହେବା ସହ ୩ ଜଣ ଯବାନ ସହୀଦ ହୋଇଛନ୍ତି । ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଜମ୍ମୁ ଜୋନ୍‌ର ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି, ଏହି ଆକ୍ରମଣରେ ସେନାର ୨ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳକୁ ନିରାପତ୍ତା କର୍ମଚାରୀମାନେ କର୍ଡନ୍‌ କରିଛନ୍ତି। ଘଟଣାସ୍ଥଳ ଅଭିମୁଖେ ଅତିରିକ୍ତ ସେନା ବଳ ପ୍ରେରଣ କରାଯାଇଛି।

ସିଂହ କହିଛନ୍ତି, ସେନା ରିପୋର୍ଟ ଅନୁସାରେ, ବଡ଼ି ସକାଳେ ରାଜୌରି ଜିଲ୍ଲାର ଦର୍‌ହଲ୍‌ ଅଞ୍ଚଳର ଅନ୍ତର୍ଗତ ବୁଧ କନାଡ଼ି ନିକଟ ପାର୍‌ଗଲ୍‌ରେ ଥିବା ସେନା ଶିବିରର ବାଡ଼କୁ କେହି ଜଣେ ଟପିବାକୁ ଉଦ୍ୟମ କରୁଥିଲେ। ପହରା ଦେଉଥିବା ପ୍ରହରୀ ଅନୁପ୍ରବେଶକାରୀଙ୍କ ମୁକାବିଲା କରିବାରୁ ଗୁଳି ବିନିମୟ ଆରମ୍ଭ ହେଲା। ଦରହଲ୍‌ ଥାନାରୁ ପ୍ରାୟ ୬ କିଲୋମିଟର୍‌ ଦୂରରେ ଥିବା ଉକ୍ତ ସେନା ଶିବିର ଅଞ୍ଚଳ ଅଭିମୁଖେ ଅତିରିକ୍ତ ସୁରକ୍ଷା ବଳଙ୍କୁ ପ୍ରେରଣ କରାଯାଇଛି।

ଟୁଇଟଣ୍‌ ହ୍ୟାଣ୍ଡଲ୍‌ରେ ସେନାର ୧୬ କର୍ପସ୍‌ ଲେଖିଛି, ରାଜୌରିର ପାର୍‌ଗଲ୍‌ରେ ଅନ୍ଧାରିଆ ବେଳେ ୨ଜଣ ଆତଙ୍କବାଦୀ ଛପି ଛପି ଗୋଟାଏ ସେନା ଶିବିର ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବ‌େଳେ ସଜାଗ ସୈନିକଙ୍କ ଦୃଷ୍ଟିରେ ପଡ଼ିଥିଲେ। ଗୁଳି ବିନିମୟ ସମୟରେ ସେ ଆତଙ୍କବାଦୀମାନଙ୍କୁ ହତ୍ୟା କରାଯାଇଛି।

ଏଥିରେ ଆହତ ହୋଇଥିବା ୫ଜଣ ଯବାନଙ୍କର ଚିକିତ୍ସା କରାଯାଉଥିଲା। ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ସ୍ବାସ୍ଥ୍ୟାବସ୍ଥା ଥିବା ୩ଜଣ ସହିଦ ହୋଇଯାଇଛନ୍ତି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଆତ୍ମଘାତୀ ଆକ୍ରମଣ କରିଥାଆନ୍ତେ। କିନ୍ତୁ, ଜାଗ୍ରତ ପ୍ରହରୀ ଦେଖି ପକାଇବାରୁ ସେମାନଙ୍କ ଉଦ୍ୟମ ବିଫଳ ହେଲା। ସେମାନେ କହିଛନ୍ତି, ପାହାନ୍ତା ପ୍ରାୟ ୩.୩୦ରେ ଆକ୍ରମଣକାରୀମାନେ ଶିବିରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ, ଉଦ୍ୟମ ବିଫଳ ହେବା ପରେ ଗୁଳି ବିନିମୟର ସୂତ୍ରପାତ ହୋଇଥିଲା ।

Related Posts