ଆଜି ରାଜ୍ୟରେ ପ୍ରବଳ ଛେଚିବ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଅବପାତ ରୂପ ନେଇଛି । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ ଏହି ଅବପାତ ପ୍ରଭାବରେ ବୁଧବାର ରାଜ୍ୟରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ବର୍ଷା ଛେଚିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ସତର୍କ କରାଇଛି । କିନ୍ତୁ ବୁଧବାର ଛତିଶଗଡ଼ରେ ପହଞ୍ଚିବା ପରେ ଏହି ଅବପାତ ଦୁର୍ବଳ ହୋଇଯିବ ବୋଲି ସାନି ପୂର୍ବାନୁମାନ କରାଯାଇଛି ।

ଉପକୂଳ ଓଡ଼ିଶା ଉପରେ ଅବପାତ ସୃଷ୍ଟି ହୋଇଥିବାରୁ ପ୍ରବଳ ବର୍ଷା ସହ ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି । ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ମତ୍ସଜୀବୀମାନେ ୧୧ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ବୁଧବାର ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

୧୧, ୧୨ ଓ ୧୩ ତାରିଖରେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିି କରାଯାଇଛି । ୧୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଯାଜପୁର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ଗତ ତିନି ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ।

ମଙ୍ଗଳବାର ବି ଦିନତମାମ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ସର୍ବାଧିକ ୧୬୧ ମିଲିମିଟର ବର୍ଷା ହୋଇଛି ।

Related Posts