ରାଜ୍ୟ ରାଜନୀତି ଫୋକସରେ ସମ୍ବଲପୁର ଜିଲ୍ଲା; ବିଜେଡି ଦେଲା ମନ୍ତ୍ରୀ ପଦ, ବିଜେପିର ବିରୋଧୀ ଦଳ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ରାଜନୀତିରେ ସମ୍ବଲପୁର ଜିଲ୍ଲା ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପିର ଫୋକସ୍‌ ଥିବା ସ୍ପଷ୍ଟ ଜଣା ପଡୁଛି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସମ୍ବଲପୁର ଜିଲ୍ଲାକୁ ଗୁରୁତ୍ଵ ମିଳିବା ଆରମ୍ଭ ହୋଇଛି। ଶାସକ ବିଜେଡି ନିକଟରେ ଏହି ଜିଲ୍ଲାରୁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ କରିଥିବା ବେଳେ। ଗତକାଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇଛି ବିଜେପି।

ସୂଚନା ଥାଉକି ଅସୁସ୍ଥତା କାରଣରୁ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଦୀର୍ଘଦିନ ହେବ ଅନୁଭବ ହେଉଥିଲା। ଏନେଇ ଗତ ଜୁନ୍ ମାସରେ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ ସମୟରେ ଦଳୀୟ ନେତୃବର୍ଗଙ୍କୁ ଭେଟି ଜଣାଇଥିଲେ ।ପ୍ରଦୀପ୍ତ ନାଏକଙ୍କ ସ୍ଥାନରେ ଅନ୍ୟ ଜଣେ ବିଧାୟକଙ୍କୁ ବିରୋଧୀ ଦଳର ନେତା ଦାୟିତ୍ବ ଦେବାକୁ ବିଜେପି ବିଧାୟକ ମାନେ ପ୍ରସ୍ତାବ ଦେଇଥିଲେ। ତେବେ ଗତଥର ଏହି ଗୁରୁତ୍ବପୂର୍ଣ୍ଣ ପଦରୁ ଅଳ୍ପକେ ବଂଚିତ ହୋଇଥିବା ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କ ସହିତ ବିଜେପି ଏଥର ନ୍ୟାୟ କରିଛି। ଦୀର୍ଘ ୭୦ ବର୍ଷ ପରେ ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଛି ବିରୋଧୀ ଦଳ ନେତା ପଦ। ଜୟନାରାୟଣଙ୍କୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଛି। ଏହା ପୂର୍ବରୁ ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ କଂଗ୍ରେସ ସରକାର ସମୟରେ ଗଣତନ୍ତ୍ର ପରିଷଦର ଟିକେଟରେ ନିର୍ବାଚିତ ହୋଇଥିବା ସମ୍ବଲପୁର ବିଧାୟକ ଶ୍ରଦ୍ଧାକର ସୂପକାର ବିରୋଧୀ ଦଳର ନେତା ହୋଇଥିଲେ। ଜୟ ନାରାୟଣଙ୍କୁ ଏହି ପଦ ମିଳିବା ଦଳୀୟ କର୍ମୀ, ସମର୍ଥକଙ୍କ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ଭାବେ ପରିଗଣିତ ହୋଇଥାଏ ସମ୍ବଲପୁର। ଏହାସତ୍ତ୍ବେ ଗତ ଦୁଇଥର ମନ୍ତ୍ରିମଣ୍ଡଳ ଗଠନ ସମୟରେ ସମ୍ବଲପୁର ଜିଲ୍ଲାର କୌଣସି ବିଧାୟକଙ୍କୁ ସ୍ଥାନ ମିଳିନଥିଲା। ସମ୍ବଲପୁର ପ୍ରତି ବିଜେଡି ସରକାର ଅବହେଳା କରୁଥିବା ଜନସାଧାରଣଙ୍କଠାରୁ ଆରମ୍ଭକରି ଦଳୀୟ କର୍ମୀ ଓ ସମର୍ଥକ ମହଲରେ ଆଲୋଚନା ହୋଇଥିଲା। ଏହାସତ୍ତ୍ବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଲୋକେ ଜିତାଇଥି‌ଲେ। ଆଉ ଫଳସ୍ବରୂପ ବିଜେଡି ପୁଣିଥରେ ସମ୍ବଲପୁରରେ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇଥିଲା। ତେବେ, ଜନଭାବନା ସମ୍ମାନ ଜଣାଇବା ପାଇଁ ପରିଶେଷରେ ରେଢ଼ାଖୋଲର ଦୁଇଥରର ବିଧାୟକ ଇଂ. ରୋହିତ ପୂଜାରୀଙ୍କୁ ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳ‌ରେ ସାମିଲ କରାଯାଇ ଉଚ୍ଚଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦିଆଯାଇଛି।

ସମ୍ବଲପୁର ଜିଲ୍ଲାବାସୀଙ୍କ ବ୍ୟାପକ ସମର୍ଥନ ଯୋଗୁ ଗତ ନିର୍ବାଚନରେ ବିଜେପି ନେତା ନୀତେଶ ଗଙ୍ଗଦେବ ଲୋକସଭାକୁ ଯାଇଥିବାବେ‌ଳେ ଜୟ ନାରାୟଣଙ୍କ ଅନୁଗତ ନାଉରୀ ନାୟକଙ୍କୁ ଜିଲ୍ଲାର ଶିଳ୍ପାଞ୍ଚଳ ବିଧାନସଭା କ୍ଷେତ୍ର ରେଂଗାଲିରୁ ଲୋକେ ବିଧାନସଭାକୁ ପଠେଇଥିଲେ। ଆଗରୁ କୁଚିଣ୍ଡା ବିଧାନସଭା କ୍ଷେତ୍ରର ଲୋକେ ରବି ନାଏକଙ୍କୁ ବି ୩ ଥର ବିଧାନସଭାକୁ ପଠେଇଛନ୍ତି ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ସେ ଅଳ୍ପକେ ହାରିଯାଇଥି‌ଲେ। ତେବେ ନିକଟରେ ରୋହିତଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଜୟ ନାରାୟଣଙ୍କ ବଦଳରେ ଅନ୍ୟ କାହାରିକୁ ବିରୋଧୀ ଦଳ ନେତା ପଦ ମିଳିଥିଲେ ସମ୍ବଲପୁର ଜିଲ୍ଲାରେ ବିଜେପି ‘ବ୍ୟାକ୍‌ଫୁଟ୍‌’ରେ ରହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା। ଜୟ ନାରାୟଣଙ୍କୁ ବିରୋଧୀ ଦଳର ନେତା ମିଳିବା ପରେ ଏବ‌େ ସମ୍ବଲପୁର ଜିଲ୍ଲା ଉଭୟ ବିଜେପି-ବିଜେଡି ଫୋକସ୍‌ରେ ରହିଥିବା କୁହାଯାଉଥିବାବେଳେ ଆଗାମୀଦିନରେ ହେବାକୁ ଥିବା ସମ୍ବଲପୁର ମହାନଗର ଓ ସାଧାରଣ ନିର୍ବାଚନ ସମୟରେ ଉଭୟ ଦଳ ମଧ୍ୟରେ ଏଠାରେ ଟକ୍କର ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

Related Posts