ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା: ବିନା କୌଣସି ଭୟ ଏବଂ ପକ୍ଷପାତିତାରେ ସମ୍ୱିଧାନର ରକ୍ଷା କରିବେ ବୋଲି ମୋର ଆଶା

ନୂଆଦିଲ୍ଲୀ: ଦେଶକୁ ମିଳିଛି ୧୫ତମ ରାଷ୍ଟ୍ରପତି । ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସମଗ୍ର ଦେଶ ସହ ଓଡ଼ିଶା ବାସୀଙ୍କ ପାଇଁ ଗୌରବ ଆଣିଛନ୍ତି । ସେପଟେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପରାଜୟ ହୋଇଛି ।

ତେବେ ନିର୍ବାଚନ ପରିମାଣ ଆସିବା ପରେ ରାଷ୍ଟ୍ରପତି(ନିର୍ବାଚିତ) ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଯଶୱନା ସିହ୍ନା ଟ୍ୱିଟ କରି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ୱିଟ କରି ସେ ଲେଖିଛନ୍ତି, ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ସେ ବିନା କୌଣସି ଭୟ ଏବଂ ପକ୍ଷପାତିତାରେ ସମ୍ୱିଧାନର ରକ୍ଷା କରିବେ ବୋଲି ମୁଁ ଆଶା କରୁଛି।

ଏହାସହ ଯଶୱନ୍ତ ସିହ୍ନା ଏକ ଲେଖା ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ନିର୍ବାଚନର ପରିଣାମ ବାହାରେ, ମୁଁ ବିଶ୍ୱାସ କରୁଛି ଏହା ଭାରତର ଗଣତନ୍ତ୍ରକୁ ଦୁଇଟି ମାଧ୍ୟମରେ ଲାଭ ପହଞ୍ଚାଇଛି । ପ୍ରଥମରେ, ଦେଶର ଅଧିକାଂଶ ବିରୋଧୀ ଦଳକୁ ଗୋଟିଏ ମଞ୍ଚରେ ଏକାଠି କରିଛି । ଏହାସହ ସମୟର ଆହ୍ୱାନ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ଏକାଠି ହୋଇ କାମ କରିବାକୁ ମୁଁ ଅପିଲ କରୁଛି’।

‘ଦ୍ୱିତୀୟରେ ବିରୋଧୀଙ୍କ ଉପରେ ଆକ୍ରୋଶ ରଖି ଇଡି, ସିବିଆଇ, ଆୟକର ବିଭାଗକୁ ସରକାର ଯେଉଁପରି ଭାବେ ବ୍ୟବହାର କରୁଛନ୍ତି ସେହି କଥାକୁ ମୁଁ ଜୋର ଦେଇ ଉଠାଇଥିଲି । ମୋର ମତକୁ ବିଭିନ୍ନ ମୁଖ୍ୟମନ୍ତ୍ରୀ, ନେତା, ସାଂସଦ, ବିଧାୟକମାନେ ସ୍ୱୀକାର କରିଥିଲେ’। ଏପରିକି ଦେଶର ସାଧାରଣ ଜନତା ମଧ୍ୟ ମତକୁ ସମର୍ଥନ କରିଥିଲେ ବୋଲି ଯଶୱନ୍ତ ସିହ୍ନା ଲେଖିଛନ୍ତି।

୬୪ ବର୍ଷୀୟା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭୋଟ ଗଣତିର ତୃତୀୟ ରାଉଣ୍ଡରେ ହିଁ ମ୍ୟାଜିକ ନମ୍ୱର ହାସଲ କରିଥିଲେ। ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀଙ୍କୁ ତୃତୀୟ ରାଉଣ୍ଡରେ ହିଁ ୫,୭୭,୭୭୭ ମୂଲ୍ୟର ଭୋଟ ମିଳିଥିଲା ।

Related Posts