ଚଳିତ ବର୍ଷ ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ପିଆଜ ସଂରକ୍ଷଣ ରଖିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ଆଶଙ୍କା ଓ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ କେନ୍ଦ୍ର ସରକାର ରେକର୍ଡ ପରିମାଣର (୨୫୦,୦୦୦ ଟନ୍‌) ପିଆଜ ସଂରକ୍ଷଣ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ହେଉ ନ ଥିବାରୁ ଦେଶରେ ପିଆଜ ଦର ବୃଦ୍ଧି ପାଇଥାଏ। ଜନସାଧାରଣଙ୍କୁ ଅସୁବିଧାରେ ନ ପକାଇବା ଲାଗି ଉପରୋକ୍ତ ମାସଗୁଡ଼ିକରେ ସରକାର ଗଚ୍ଛିତ ପିଆଜକୁ ବଜାରକୁ ଛାଡ଼ିବେ।

ଦେଶରେ ମୁଦ୍ରାସ୍ଫୀତି ହାର ୭% ଉପରେ ଚାଲିଥିବା ବେଳେ ସରକାର ବୃଦ୍ଧିପାଉଥିବା ପନିପରିବା ଦର ସ୍ଥିର ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରାଳୟ ଏହି ପିଆଜ ସଂରକ୍ଷଣ କରି ଗଚ୍ଛିତ ରଖିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଖାଉଟି ମନ୍ତ୍ରାଳୟ କହିଛି ଯେ, ବ୍ୟାପକ ପିଆଜ ଚାଷ କରୁଥିବା ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର କୃଷକମାନଙ୍କଠାରୁ ପିଆଜ ଖରିଦ କରାଯାଇଛି।

ମନ୍ତ୍ରାଳୟର ଅଧିକାରୀମାନଙ୍କ କହିବା ଅନୁସାରେ, ଦେଶରେ ଅମଳ ହେଉଥିବା ପିଆଜର ୬୫% ପାଇଁ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ମଞ୍ଜି ବୁଣାଯାଇ ଏବଂ ଅକ୍ଟୋବର ମାସରେ ପିଆଜ ଅମଳ କରାଯାଏ। ପରେ ଅକ୍ଟୋବର-ନଭେମ୍ବର ମାସରେ ମଞ୍ଜି ବୁଣାଯାଇ ଏପ୍ରିଲ୍‌-ମେ ମାସରେ ପିଆଜ ଅମଳ କରାଯାଏ। ସରକାର କୃଷକମାନଙ୍କଠାରୁ ଉତ୍ପାଦିତ ପିଆଜ ଖରିଦ କରି ଗଚ୍ଛିତ ରଖନ୍ତି। ଏଥିପାଇଁ ‌ବର୍ଷାଋତୁରେ ବି ଦେଶରେ ପିଆଜ ଅଭାବ ହୁଏନାହିଁ।

Related Posts