କେଉଁ କାଳରୁ ଆରମ୍ଭ ହୋଇଛି ରଥଯାତ୍ରା ?

ଭୁବନେଶ୍ୱର(ସତ୍ୟାପାଠ ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ । ସେପଟେ ଏହାର ଆରମ୍ଭ କେଉଁକାଳରୁ ହୋଇଛି ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ । ତେବେ ଏହା କେଉଁ ପ୍ରାଚୀନ କାଳରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ଭାବରେ କହିବା କଷ୍ଟ । ଏକଦା ଏହି ପୂଣ୍ୟ ଭୂମିରେ ଭାରତରେ ସୈାର, ଶାକ୍ତ, ଶୈବ, ବୈଷ୍ଣବ, ବୈାଦ୍ଧ ପ୍ରଭୃତି ଧର୍ମ ସମ୍ପ୍ରଦାୟ ଆରାଧ୍ୟ ଦେବାଦେବୀଙ୍କ ଅର୍ଚ୍ଚନା ପାଇଁ ରଥ ନିର୍ମାଣ କରି ଏହି ଯାତ୍ରା ଆରମ୍ଭ କରିଥିଲେ କରାଯାଇଥିଲା ବୋଲି ପୁରାଣ ଓ ବହୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି । କଠୋପନିଷଦରେ ସ୍ଥୂଳ ଶରୀରକୁ ରଥ ସହିତ ତୁଳନା କରାଯାଇଛି । ରଥର ଅସ୍ୱିତ୍ୱ ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସୁନଥିଲେ ଉପନିଷେଦରେ ଏପରି ଉଲ୍ଲେଖ କରାଯାଇ ନଥାନ୍ତା । ବେଦରେ ଅନେକ ପ୍ରକାରର ରଥ, ରଥରେ ଯୋଖାଯାଇଥିବା ପ୍ରାଣୀମାନଙ୍କର ନାମ ଏବଂ ରଥର ବିଭିନ୍ନ ଅଂଶ ବର୍ଣ୍ଣିତ ହୋଇଛି । ରାମାୟଣ ମହାଭାରତ ଯୁଗରେ ଯୋଦ୍ଧାମାନେ ରଥରେ ଚଢି ଯୁଦ୍ଧ କରୁଥିଲେ । ଯୁଦ୍ଧ ସମୟରେ ରଥର ଆବଶ୍ୟକତା ଅନେକ ପରିମାଣରେ ଅଧିକ ଥାଏ । ରାମାୟଣରୁ ଜଣାଯାଏ ଯେ ଲଙ୍କାର ରାଜା ରାବଣ ତାଙ୍କର ପୁଷ୍ପକ ବିମାନରେ ପୁଞ୍ଚବଟୀ ବନରୁ ସୀତାଙ୍କୁ ଚୋରାଇ ନେଇ ଦେଇଥିଲେ ଏବଂ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସେଇ ବିମାନରେ ସୀତା ଓ ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟା ଫେରିଆସିଥିଲେ । ମହାଭାରତ ଯୁଦ୍ଧରେ ରଥ ବହୁଳ ପରିମାଣରେ ବ୍ୟବହୃତ ହୋଇଥିବାର ଉଲ୍ଲେଖ ରହିଛି । କର୍ଣ୍ଣ, ଅର୍ଜୁନ, ଦ୍ରୋଣ ପ୍ରଭୃତି ରଥୀମାନେ ସ୍ୱ ସ୍ୱ ରଥରେ ଚଢି ଯୁଦ୍ଧ କରୁଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥି ଥିଲେ । ରଥର ଉତ୍ପତ୍ତି ସମୟ ଯେ ବହୁ ପ୍ରାଚୀନ ଏଥିରେ ମତଦ୍ୱୈଧ ନାହିଁ । ରଥଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଗବେଶକ ତଥା ପ୍ରତ୍ନତତ୍ୱବିତମାନେ ବିଭିନ୍ନ ମତବାଦ ପୋଷଣ କରିଅଛନ୍ତି । ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତରେ ବୁଦ୍ଧଦେବଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ସର୍ବପ୍ରଥମେ ରଥଯାତ୍ରାର ପ୍ରଚଳନ କରାଯାଇଥିଲା ।

ଏଥିରୁ ହିଁ ଭାରତୀୟ ରଥଯାତ୍ରାର ଉତ୍ପତ୍ତି । ତାଙ୍କର ଯୁକ୍ତିହ ଫାହିୟାନଙ୍କ ବର୍ଣ୍ଣିତ ରଥଯାତ୍ରା ଉପରେ ଆଧାରିତ । ଫାହିୟାନ ଖୋତନ ରାଜ୍ୟରେ ଦେଖିଥିବା ରଥଯାତ୍ରା ବିଶଦ ଭାବରେ ବର୍ଣ୍ଣନା କରିଅଛନ୍ତି । ଚତୁର୍ଥ ମାସ ପ୍ରଥମ ସପ୍ତାହରେ ନଗରର ସମସ୍ତ ରାସ୍ତା ଧ୍ୱଜ ପତାକା ଦ୍ୱାରା ବିଭୂଷିତ ହୋଇଥାଏ । ରାଜପଥ ପରୁଷ୍କୃତ ଏବଂ ବିଭିନ୍ନ ପୁଷ୍ପ ଦ୍ୱାରା ସଜ୍ଜିତ । ରାଜାରାଣୀ ପାତ୍ରମନ୍ତ୍ରୀଙ୍କ ଲାଗି ରାଜପଥରେ ଗୋଟିଏ ସ୍ଥାନ ନିରୂପିତ କରାଯାଇଥାଏ । ରଥରେ ପ୍ରଥମେ ବୈଦ୍ଧଆଚାର‌୍ୟ୍ୟମାନଙ୍କର ତ୍ମୂର୍ତ୍ତି ସଜ୍ଜିତ ନଗରର ୩ ରୁ ୪ କିମି ଦୂରରେ ରଥ ପ୍ରସ୍ତୁତି ହୋଇ ରହିଥାଏ । ଚାରିଚକ ବିଶିଷ୍ଟ ରଥର ଉଚ୍ଚତା ୩୦ ଫୁଟ ଏବଂ ସପ୍ତ ମହାରତ୍ନ ସୁଶୋଭିତ ହୋଇ ମଧ୍ୟ ସ୍ଥଳରେ ମୂଳ ବିଗ୍ରହ, ଦୁଇ ପାଶ୍ୱର୍ରେ ସହଚର ରୂପେ ଦୁଇ ବୋଧିସତ୍ୱ ଅନୁତର ରୂପେ ନାନା ଦେବ ମୂର୍ତ୍ତି । ଏହି ସଜ୍ଜା ହୋଇଥିବା ରଥ ପ୍ରସାଦ ନିକଟରେ ପହଞ୍ଚିବା ମାତ୍ରେ ରାଜା ମୁକିଟ ଖୋଲି ନୂତନ ବସ୍ତ୍ର ପରିଧାନ କରି ଅବନତ ମସ୍ତକରେ ବୁଦ୍ଧଦେବଙ୍କୁ ଅର୍ଚ୍ଚନା କଲେ । ଏହି ସମୟରେ ପୂରାନାରୀଗଣ ପୁଷ୍ପ ବୃଷ୍ଟି କରି ପରିବେଶର ମହାନୀୟତା ବୃଦ୍ଧି କଲେ । ଏହି ମହୋତ୍ସବ ଚତୁର୍ଥ ମାସର ପ୍ରତିପଦଠାରୁ ଚତୁର୍ଦ୍ଦଶୀ ପର‌୍ୟ୍ୟନ୍ତ ପାଳିତ ହୋଇଥାଏ ।

Related Posts