ଦ୍ରୌପଦୀ ମୁର୍ମୁ NDA ର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଘୋଷଣା ହେଲା ପ୍ରାର୍ଥୀ ନାମ । ଆଦିବାସୀ ଓ ମହିଳା କାର୍ଡ ଖେଳିଛି ବିଜେପି। ଏନଡିଏ ମେଣ୍ଟ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି।

ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ।

ବିଜେପି ପାଖରେ ପ୍ରାୟତଃ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବେ।

ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଶ୍ରୀମତୀ ମୁର୍ମୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ।

ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଓଡ଼ିଶାର ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା। କିନ୍ତୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତା ମୁର୍ମୁଙ୍କ ନାଁ ଉପରେ ମୋହର ମାରିଛନ୍ତି।

ଶ୍ରୀମତି ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ପ୍ରଥମ ଆଦିବାସୀ ମହିଳା ଭାବେ ଝାରଖଣ୍ଡର ରାଜ୍ୟପାଳ ହୋଇଥିଲେ। ୨୦୧୫ରୁ ୨୦୨୧ ଯାଏ ସେ ରାଜ୍ୟପାଳ ଭାବେ କାମ କରିଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଓଡ଼ିଶାରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦ୍ରୌପଦୀ ମୁର୍ମୁ ଦୁଇ ଥର(୨୦୦୦ ଓ ୨୦୦୪) ବିଧାନସଭାକୁ ନିର୍ବାଚିତ ହୋଇଥିଲା ।

Related Posts