ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ : ଅଗ୍ନିବୀରଙ୍କୁ ନେଇ ମହିନ୍ଦ୍ରା ଗ୍ରୁପର ବଡ ଅଫର୍ । ଏବେ ଅଗ୍ନିବୀରଙ୍କୁ ମିଳିବ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି ବୋଲି କହିଛି ମହିନ୍ଦ୍ର ଗ୍ରୁପ୍।

କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏହାରି ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ।

ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଲାଗୁ ହେବା ପରେ ଯେଉଁଭଳି ଭାବରେ ହିଂସା ପ୍ରଦର୍ଶନ ହେଉଛି ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଅଗ୍ନିବୀରଙ୍କୁ ଯେଉଁ ଅନୁଶାସନ ଏବଂ କୌଶଳ ମିଳିବ ତାହା ସେମାନଙ୍କୁ ଉଲ୍ଲେଖନୀୟ ରୂପରେ ରୋଜଗାରକ୍ଷମ କରିବାରେ ସହାୟକ ହେବ। ଗତ ବର୍ଷ ଏହି ଯୋଜନା ବିଷୟରେ ଯେତେବେଳେ ଆଲୋଚନା ପର୍ଯ୍ୟାଲୋଚନ ଚାଲିଥିଲା ସେହି ସମୟରେ ସେ ମଧ୍ୟ ଏକଥା କହିଥିଲେ। ମହିନ୍ଦ୍ରା ଗ୍ରୁପ୍ ଏହିଭଳି ପ୍ରଶିକ୍ଷିତ, ସକ୍ଷମ ଯୁବକଙ୍କୁ ନିଯୁକ୍ତି ଦେବାକୁ ସୁଯୋଗ ଦେବ। ତେବେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାକୁ ନେଇ ଲାଗିରହିଥିବା ବିବାଦ ଲଗାତାର ଭାବେ ବୃଦ୍ଧିପାଉଛି। ହିଂସାକାଣ୍ଡ ତୀବ୍ର ହେବାରେ ଲାଗିଛି।

Related Posts