ଜମ୍ମୁ କଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲୱାମାରେ ପୁଣି ଗର୍ଜିଲା ସେନା ଗୁଳି । ସେନାକୁ ମିଳିଲା ବଡ ସଫଳତା । ଏନ୍‌କାଉଣ୍ଟର ବେଳେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଲସ୍କର ସହ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

ଆଜି ସକାଳୁ ପୁଲୱାମା ଜିଲ୍ଲାର ଡ୍ରାବଗାମ ଅଞ୍ଚଳରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କାବଦୀ ମୁହାଁମୁହିଁ ହୋଇଥିଲେ। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇବା ପରେ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ତିନି ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ, ଗୋଟିଏ ପିସ୍ତଲ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଜମ୍ମୁକଶ୍ମୀର ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।

Related Posts