ମହାପୁରୁଷ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ: ଭାରତୀୟ ଦ୍ରବ୍ୟକୁ ହଟାଇଲା କୁଏତର ଏକ ସୁପରମାର୍କେଟ

ନୂଆଦିଲ୍ଲୀ: ମହାପୁରଷ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଥିବା ଦୁଇ ବିଜେପି ନେତାଙ୍କ ପାଇଁ ଏବେ ଭାରତର ଚିନ୍ତା ବଢ଼ି ଯାଇଛି । ଏହା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ଏହି ମନ୍ତବ୍ୟକୁ ନେଇ ଗଲ୍ଫ ଦେଶଗୁଡିକର ଅସନ୍ତୋଷ ପ୍ରସଙ୍ଗ ବର୍ତ୍ତମାନ ବନ୍ଦ ହେବା ଭଳି ମନେ ହେଉନାହିଁ।

ଏହାକୁ ବିରୋଧ କରି କୁଏତର ଏକ ସୁପରମାର୍କେଟ ଭାରତୀୟ ଦ୍ରବ୍ୟକୁ ହଟାଇ ଦେଇଥିବା ଜଣାପଡ଼ିଛି।

ଅନ୍ୟ ପକ୍ଷରେ ଦଳରୁ ନିଲମ୍ବିତ ହେବା ପରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ରସୁଲ ମହମ୍ମଦଙ୍କ ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେବା ନେଇ ଏକ ମିଥ୍ୟା ଭିଡିଓ ଟ୍ବିଟ୍‌ କରାଯିବା ପରେ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି। ଶର୍ମା ଦାବି କରିଛନ୍ତି ଯେ ୱେବ୍‌ସାଇଟ୍ ଅଲ୍‌ଟ ନ୍ୟୁଜ୍‌ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଏକ ବିତର୍କରେ ତାଙ୍କ କଥାର ଭିଡିଓକୁ ବ୍ୟାପକ ଭାବେ ଏଡିଟ୍ କରି ଟ୍ବିଟରରେ ପୋଷ୍ଟ କରିଛନ୍ତି। ତେଣୁ ଏହାକୁ ନେଇ ଆସୁଥିବା ଧମକ ପରିପ୍ରେକ୍ଷୀରେ ତାଙ୍କର ବା ତାଙ୍କ ପରିବାରର ଯଦି କିଛି ହୁଏ ସେଥିପାଇଁ ଜୁବୈର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ।

ସୂଚନାଯୋଗ୍ୟ, ଜ୍ଞାନବାପୀ ମସଜିଦ ମାମଲା ଉପରେ ଶର୍ମା ଏକ ବିତର୍କରେ ଭାଗ ନେଇଥିଲେ। ଶୁକ୍ରବାର ଜୁବୈର ଏହାର ଏକ ୮୬ ସେକେଣ୍ଡର ଭିଡିଓ ଟ୍ବିଟ୍ କରିଥିଲେ, ଯେଉଁଥିରେ ରସୁଲ ମହମ୍ମଦଙ୍କ ବିବାହକୁ ନେଇ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା ।

ଯାହାକୁ ନେଇ ପରବର୍ତୀ ସମୟରେ ହିଂସା ଦେଖିବାକୁ ମିଳିଥିଲା ।

Related Posts