ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ପୁରୀ ସାଂସଦ ପିନାକୀ ମିଶ୍ର: କୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା

ପୁରୀ : ରାଜ୍ୟ ସରକାରଙ୍କ ସପକ୍ଷରେ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଛନ୍ତି | ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମାମଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ ।

ଆଉ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ଟ୍ୱିଟ୍ କରି ପିନାକୀ କହିଛନ୍ତି, କୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପରିକ୍ରମା ପ୍ରକଳ୍ପ ଜରିଆରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ପୁରୀର ବିକାଶ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସବୁ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ପୁରୀର ବିକାଶକୁ ନେଇ ରାଜନୀତି କରାନଯାଉ ।

ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା । ଆଉ ଆଜି ରାୟ ପ୍ରକାଶ ସହ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ ପିଟିସନକୁ ରଦ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବେଦନ ରଦ୍ଦ । ପରିକ୍ରମା ପ୍ରକଳ୍ପରେ ବେଆଇନ ଖନନ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା ।

ଗତକାଲି ସବୁପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଓଡ଼ିଶା ସରକାରଙ୍କ ପ୍ରକଳ୍ପ ନିର୍ମାଣ ବିରୋଧରେ ଏସଏଲପି କରିଥିଲେ ୨ ଜଣ ବ୍ୟକ୍ତି ।

Related Posts