ଶ୍ରୀମନ୍ଦିର ପରିସରରେ କେବେ ଲାଗିବ ପୋଷାକ ପରିଧାନ କଟକଣା; ଭାଇରାଲ ହେବାରେ ଲାଗିଛି ସିଂହଦ୍ୱାରରେ ମିନିସ୍କଟ ପିନ୍ଧା ଯୁବତୀଙ୍କ ନୃତ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ମିନିସ୍କଟ ପିନ୍ଧି ନୃତ୍ୟ କରୁଥିବାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସେପଟେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିନଥିବାବେଳେ ଏ ଦିଗରେ କଟକଣା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତ, ସେବାୟତମାନେ ଦାବି କରିଛନ୍ତି । ଭିଡିଓରେ ଜଣେ ଯୁବତୀ ଦୋଳମଣ୍ଡପସାହି ମୁଣ୍ଡରେ ପତିତପାବନଙ୍କୁ ଦର୍ଶନ ସ୍ଥାନରେ ମିନିସ୍କଟ ପିନ୍ଧି ଏକ ଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି । ସେହିପରି ଏହା ପୂର୍ବରୁ ଏକ ଦମ୍ପତ୍ତି ବି ପତିତପାବନଙ୍କୁ ଦର୍ଶନ ସ୍ଥାନରେ କେଳାକୋଳି ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହା କେବଳ ଆଧ୍ୟତ୍ମିକ ପରିବଶେକୁ ନଷ୍ଟ କରୁନି ବରଂ ଭକ୍ତଙ୍କ ମନରେ ଏକ ନକରାତ୍ମକ ଭାବନା ଜାତ କରୁଛି ବୋଲି ଅଭିଯୋଗ ହୋଇଛି ।

ଅନ୍ୟପଟେ ଏ ସମ୍ପର୍କରେ ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ କିଛି ମାସ ତଳେ ପରିଚାଳନା କମିଟି ବୈଠଳରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ କ୍ଷେତ୍ରରେ କଟକଣା ଲଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ଯେଭଳି ପାରମ୍ପରିକ ପୋଷାକ ପିନ୍ଧି ଆସିବେ ସେ ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା । ଛତିଶାନିଯୋଗ ବି ଏଥିରେ ଏଥିରେ ସହମତି ଜଣାଇଥିଲା। ପ୍ରାରମ୍ଭିକ ପର‌୍ୟ୍ୟାୟରେ ସେବାୟତଙ୍କ କ୍ଷେତ୍ରରେ ଏହା ଲାଗୁ ହେଲା। କିନ୍ତୁ ଅଧାରେ ଏହି ବ୍ୟବସ୍ଥା ଅଟକିଗଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts