ଉତ୍ତର କୋରିଆରୁ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ: ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ନୂଆଦିଲ୍ଲୀ : କରୋନା ମହାମାରୀ ଗତ ଦୁଇ ବର୍ଷ ହେଲାଣି ସମଗ୍ର ବିଶ୍ବକୁ କବଳିତ କରି ରଖିଥିବା ବେଳେ, କିନ୍ତୁ କରୋନା ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଗୁରୁବାର ଠାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

କିମ ଏହାକୁ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କିମ୍‌ କରୋନା କଟକଣାକୁ ସର୍ବାଧିକସ୍ତରକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ପ୍ରଥମ କରୋନା ସଂକ୍ରମିତ ହୋଇଥିବାରୁ ଦେଶରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି କହିଛି ଯେ ଗୁରୁବାର ଦିନ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ କିଛି ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ଜଣେ ବ୍ୟକ୍ତି କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରଖା ଯାଇଛି।

ଦେଶରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି। ଏହା ସହିତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକଡାଉନ ଲାଗୁ କରାଯାଇଛି।
ନ୍ୟୁଜ୍‌ ଏଜେନ୍ସି କହିଛି ଯେ କରୋନା ମାମଲା ସାମ୍ନାକୁ ଆସିବା ପରେ କିମ ଜୋଙ୍ଗ ଉନ ଶାସକ କୋରିଆ ୱାର୍କର୍ସ ପାର୍ଟି ପଲିଟବୁରୋର ଏକ ବୈଠକ ଡାକିଥିଲେ। ଯେଉଁଠାରେ ସଦସ୍ୟମାନେ ଏହାର ଆଣ୍ଟି-ଭାଇରସ ପଦକ୍ଷେପ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

ବୈଠକ ସମୟରେ କିମ ଜୋଙ୍ଗ ଉନ କରୋନା ସଂକ୍ରମଣକୁ ସ୍ଥିର କରିବା ଏବଂ ସଂକ୍ରମଣର ଉତ୍ସକୁ ଯଥାଶୀଘ୍ର ଦୂର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ ଆରମ୍ଭରେ, ଯେଉଁ ସମୟରେ ସମସ୍ତ ଦେଶ କରୋନା ବିରୋଧରେ ଲଢୁଥିଲେ। ସେତେବେଳେ ଉତ୍ତର କୋରିଆ ଶୂନ କୋଭିଡ ମାମଲା ହୋଇଥିବା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ନିଜ ଉପରେ ପ୍ରତିବନ୍ଧକ ଲଗାଇଲା, ଯାହା ପରେ ସେଠାରେ ଖାଦ୍ୟ ସାମଗ୍ରୀର ଅଭାବ ସୃଷ୍ଟି ହୋଇଥିଲା। ଜାନୁଆରୀ ୨୦୨୦ରେ, ଉତ୍ତର କୋରିଆ ପ୍ରାୟ ଦୁଇ ବର୍ଷ ଧରି ଚାଇନା ସମେତ ଅନ୍ୟ ଦେଶଗୁଡ଼ିକ ସହିତ ଏହାର ସମସ୍ତ ସୀମା ବନ୍ଦ କରିଦେଇଥିଲା।

ଗତ ବର୍ଷ ଏପ୍ରିଲରେ ଉତ୍ତର କୋରିଆ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ କହିଥିଲା ଯେ ୨୫,୯୮୬ ଲୋକଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ଏଥିରେ ସଂକ୍ରମଣର ଗୋଟିଏ ବି ମାମଲା ମିଳିଲା ନାହିଁ। ତେବେ ଉତ୍ତର କୋରିଆର ଏହି ଦାବିକୁ ବିଶ୍ୱାସ କରିବା କଷ୍ଟକର ଥିଲା। ବିଶେଷଜ୍ଞମାନେ କହିଥିଲେ ଯେ କଠୋର ନୀତି ଯୋଗୁ ଉତ୍ତର କୋରିଆରୁ ସଠିକ ସୂଚନା ପାଇବା ଅସମ୍ଭବ ।

Related Posts