ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ପୁରୀ ଏସଡିଜେଏମ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସାରା ରାଜ୍ୟରେ ବିରୋଧ କରାଯାଉଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ତେବେ କୋର୍ଟ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ୍ ମାମଲା ରୁଜୁ କରି ନଥିଲା। ଏଏସଆଇର ବିନାନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର‌୍ୟ୍ୟ ଜାରି ରଖିଥିବା ହେତୁ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ବିରୋଧରେ ସିଆରପିସି ଓ ଅମସାରା ଆଇନ ଅଧିନରେ ଅପରାଧିକ ମାମଲା ରୁଜୁ କରିବ‌ାକୁ ଆବେଦନ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ଏସଡିଜେଏମ୍ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ଆଜି ରାୟ ପ୍ରକାଶ କରି କୋର୍ଟ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇ ନିର୍ମାଣ ନିମନ୍ତେ କୌଣସି ଅନୁମତି ଦିଆଯାଇ ନଥିବା କୁହାଯାଇଥିଲା। ଅନ୍ୟପଟେ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଖନନସ୍ଥଳ ପରିଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ଅନ୍ୟ ବିଜେପି ନେତାଙ୍କ ମିଶି ଖନନ ସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣ ଓ ଖନନ କାର‌୍ୟ୍ୟକୁ ବିରୋଧ କରିଛନ୍ତି। ସେ ଗଣମାଧ୍ୟମରେ ନିଜର ମତ ରଖି ସରକାରଙ୍କୁ ନିନ୍ଦା କରିଛନ୍ତି। ଶ୍ରୀମନ୍ଦିରକୁ ସରକାର ଜାଣିଶୁଣି ବିପଦ ଭିତରକୁ ଠେଲି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଜଗନ୍ନାଥଙ୍କୁ ହାତରେ ଧରି ରାଜ୍ୟ ସରକାର ଜଗନ୍ନାଥଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ସମ୍ବିତ କହିଛନ୍ତି। ଖାଲି ସେତିକି ନୁହେଁ, ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଜଗନ୍ନାଥ ଭଲ ବୁଦ୍ଧି ଦିଅନ୍ତୁ ବୋଲି ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts