ଦ୍ବିତୀୟବାର ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ୍ବିତୀୟବାର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପୁଣି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରପତିଙ୍କର ଜଣେ ମୁଖପାତ୍ର କହିଛନ୍ତି, ଉତ୍କଟତର ହେଉଥିବା ଆର୍ଥିକ ସଙ୍କଟ ଯୋଗୁଁ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଶୁକ୍ରବାର ଦିନ ‘ଟ୍ରେଡ୍ ୟୁନିୟନ୍’ ସବୁ ରାଷ୍ଟ୍ରବ୍ୟାପୀ ଧର୍ମଘଟ କରିବାରୁ ସର୍ବସାଧାରଣରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ରାଷ୍ଟ୍ରପତି ଏହି କଠୋର ଆଇନ ଘୋଷଣା କରିଛନ୍ତି। ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଜାତୀୟ ସଂସଦ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଘଉଡ଼ାଇବା ଲାଗି ଶୁକ୍ରବାର ପୂର୍ବାହ୍ନରେ ପୁଲିସ ଲୁହବୁହା ବାଷ୍ପ ଓ ପାଣିମାଡ଼ ପ୍ରୟୋଗ କରିଥିଲା।

ସଂସଦକୁ ପଡ଼ିଥିବା ରାସ୍ତାରେ ଗୁରୁବାର ଠାରୁ ହଜାର ହଜାର ଛାତ୍ର-ପ୍ରତିବାଦକାରୀ ଡେରା ପକାଇଥିଲେ। ଗୁରୁବାର ଅପରାହ୍ଣରେ ମଧ୍ୟ ସେମାନଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ତେଣୁ ଦ୍ୱିତୀୟଥର କରି ରାଷ୍ଟ୍ରପତି ଜରୁରୀ ପରିସ୍ଥିତି ଘୋଷଣା କରିଥିବାର ସୂଚନା ମିଳିଛି । ସେପଟେ ୫ ସପ୍ତାହ ପୂର୍ବରୁ ରାଷ୍ଟ୍ରପତି ରାଜପକ୍ଷେ ଶ୍ରୀଲଙ୍କାରେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts