ଗତ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରିପଦା ସମାବେଶରେ ନାଁ ରାଜ୍ୟ ସରକାରଙ୍କ କାମକୁ ନେଇ ସେପରି କିଛି କହିଲେ, ନା ବିଜେଡି କିମ୍ବା ନବୀନଙ୍କ ନାଁ ଧରିଲେ । କିନ୍ତୁ ଆଜି ଦିଲ୍ଲୀକୁ ଯାଇ ପ୍ରଧାନମନ୍ତ୍ରୀ, ତାଙ୍କ ଦଳ ଓ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦିଲ୍ଲୀରେ ବିଜେଡି ପକ୍ଷରୁ ଆୟୋଜିତ କୃଷକ ଅଧିକାର ସମାବେଶରେ କଡ଼ା ଭାଷାରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଧାନର ଏମ୍ଏସ୍ପି ବୃଦ୍ଧି, ସ୍ବୀମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଏବଂ ଆର୍ଥିକ ସ୍ବାୟତ୍ତତା ଦାବିରେ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ବିଜେଡି ପକ୍ଷରୁ ଆୟୋଜିତ ସମାବେଶରେ ନବୀନ କହିଛନ୍ତି, ‘SP ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । MSP ପାଇବା ଚାଷୀର ହକ୍, କାହାର ଦୟା ନୁହେଁ । ଏଥିପାଇଁ ଆମେ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଛୁ । କିନ୍ତୁ କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ସରକାର ଭୁଲି ଯାଇଛି । ଓଡ଼ିଶାକୁ ଆର୍ଥିକ ସ୍ବାୟତ୍ତତା ପ୍ରଦାନ କରାଗଲେ, ଆମେ ନିଜ ପାଣ୍ଠିରୁ ଚାଷୀଙ୍କୁ ହକ୍ ଦେଇଥାଆନ୍ତୁ । ଚାଷୀଙ୍କ ହକ୍ ପାଇଁ ବିଜେଡିର ଲଢେଇ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ।’
ରାଜ୍ୟରେ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି ବୋଲି କହିବା ସହ ଅଭିଭାଷଣରେ ସ୍ବାମୀନାଥନ କମିଟି ରିପୋର୍ଟ କଥା ମଧ୍ୟ ଉଠାଉଇଛନ୍ତି ନବୀନ । ତୁରନ୍ତି ଏହି ରିପୋର୍ଟ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରକୁ କହିଛନ୍ତି । ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ଏ ସମ୍ପର୍କିତ ସ୍ମାରକପତ୍ର ଦେବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସମାବେଶରେ ବିଜେଡିର ବହୁ ବିଧାୟକ, ମନ୍ତ୍ରୀ, ସାଂସଦ, ବରିଷ୍ଠ ନେତାଙ୍କ ସହ ପ୍ରାୟ ୩ ହଜାର କର୍ମୀ ଯୋଗ ଦେଇଛନ୍ତି ।