ହନୁମାନ ଚାଳିଶାକୁ ନେଇ ଜୋର୍ ଧରିଛି ମହାରାଷ୍ଟ୍ର ରାଜନୀତି: ଅମରାବତୀ ସାଂସଦ ନବନୀତ ରାଣା ଏବଂ ବିଧାୟକ ରବି ରାଣାଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ

ମୁମ୍ୱାଇ: ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ଏବେ ରାଜନୀତି ସରଗରମ ହୋଇପଡିଛି । ରାଣା ଦମ୍ପତ୍ତି ମୁମ୍ୱାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପାଇଁ ଘୋଷଣା କରିଥିଲେ। ଏହାପରେ ଶିବସେନାର ଅସନ୍ତୋଷ କାର୍ଯ୍ୟକର୍ତ୍ତା ନବନୀତ ରାଣାଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୋଲିସ କର୍ମୀଙ୍କ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏହାରି ଭିତରେ ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି । ପୋଲିସ ଦୁହିଁଙ୍କୁ ଖାର ପୋଲିସ ଷ୍ଟେସନ ନେଇ ଯାଇଥିବା ଜଣାପଡିଛି।

ସାଂସଦ ନବନୀତ ରାଣା ଅଭିଯୋଗ କରିଥିଲେ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧର ଠାରେ ଶିବସେନା କର୍ମୀଙ୍କୁ ତାଙ୍କୁ ହଇରାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅମରାବତୀରୁ ସାଂସଦ ନବନୀତ ରାଣା କହିଥିଲେ, ସେମାନେ ବ୍ୟାରିକ୍ୟାଡ ଭାଙ୍ଗୁଛନ୍ତି, କିନ୍ତୁ ମୁଁ ମାତୋଶ୍ରୀ ଯିବି ଏବଂ ହନୁମାନ ଚାଳିଶା ପାଠ କରିବି। ନବନୀତ ଅଭିଯୋଗ କରିଥିଲେ ସିଏମ ଉଦ୍ଧବ ଠାକରେ ଲୋକଙ୍କୁ କେବଳ ଜେଲରେ ଭର୍ତ୍ତି କରିବା ଜାଣିଛନ୍ତି। ପୋଲିସ ଆମକୁ ଆମ ଘରୁ ବାହାରକୁ ଯିବାକୁ ନଦେବା ଆଶ୍ଚର୍ଯ୍ୟର ଘଟଣା। ଶିବସେନାର କାର୍ଯ୍ୟକର୍ତ୍ତା ଆମ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରୁଛନ୍ତି। ମୁଁ ସବୁବେଳେ ମାତୋଶ୍ରୀକୁ ମନ୍ଦିର ବୋଲି ଭାବିଛି।

ଅନ୍ୟପଟେ ରାଣା ଦମ୍ପତ୍ତିଙ୍କ ଅଭିଯୋଗ ଉପରେ ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି, ତାଙ୍କ ଦଳ ସହ ଲାଗିବା ଏହି ଲୋକଙ୍କୁ ମହଙ୍ଗା ପଡିବ। ସାଂସଦ-ବିଧାୟକ ଦମ୍ପତ୍ତିଙ୍କ ନାଁ ନନେଇ ଏବଂ ସି-ଗ୍ରେଡ ଫିଲ୍ମର ଲୋକ ଶବ୍ଦ ବ୍ୟବହାର କରି ରାୱତ କହିଛନ୍ତି, ଶିବସେନାକୁ ହିନ୍ଦୁତ୍ୱ ଶିଖାଇବା ଦରକାର ନାହିଁ।

Related Posts