ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହା ମଧ୍ୟରେ ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଥଣ୍ଡାଜ୍ୱରରେ ପୀଡ଼ିତ ହେଉଛନ୍ତି। ସବୁ ଥଣ୍ଡାଜ୍ୱର କରୋନା ନୁହେଁ। କିନ୍ତୁ ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ। ପିଲାଙ୍କୁ ଥଣ୍ଡାଜ୍ୱର ହେଲେ କିମ୍ବା ଲକ୍ଷଣ ଦେଖା ଦେଲେ ତୁରନ୍ତ ଏହାର ଟେଷ୍ଟ କରାଇ ନେବା ଉଚିତ। ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଜି ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଅଲଗା ଭାଇରାଲ ଇନଫେକ୍ସନ ବି ଥଣ୍ଡା ଜ୍ୱର କରାଏ। ତେଣୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଟେଷ୍ଟ କଲେ ହିଁ ପଜିଟିଭି ରେଟ କେତେ ରହୁଛି, ତାହା ଜଣାପଡ଼ିବ ।
ଜାଣି ଜାଣି ଟେଷ୍ଟ ନ କଲେ ବିପଦକୁ ଟାଣିବା। ତେଣୁ ଯେଉଁଠି ଲକ୍ଷଣ ଦେଖାଦେଉଛି, ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ। ଦେଶରେ ସଂକ୍ରମଣ ବଢୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି। ସମସ୍ତଙ୍କୁ ସତର୍କ ରହିବାକୁ ହେବ। ସତର୍କତା ସବୁବେଳେ ଭଲ। କିପରି ସଂକ୍ରମଣ ନ ବଢ଼ିବ, ଯଦି ବଢ଼ିବ କିପରି ତାହା ନିୟନ୍ତ୍ରଣାଧୀନ ହୋଇ ରହିବ, ତାହା ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।