ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ବାରମ୍ବାର ବାରଣ ସତ୍ତ୍ୱେ ମଧ୍ୟ ଅଟକୁନି ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସାଧାରଣ ଜନତାଙ୍କ ଠାରୁ ରାଜନୈତିକ ଦଳମାନେ ବାରମ୍ବାର ଏନେଇ ପ୍ରଶ୍ନ ଉଠାଉଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଅଟଳିବାର ନାଁ ଧରୁନି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗଟି ଧୀରେ ଧୀରେ ଜଟିଳ ରୂପ ନେଲାଣି। କାହିଁକିନା ଗୋଟିଏ କି ଦୁଇଟି ନୁହେଁ; ଇତିମଧ୍ୟରେ ପ୍ରତ୍ନତତ୍ତ୍ବ ବିଭାଗ ଏକାଧିକ ଚିଠି ଲେଖି ନିର୍ମାଣ ବନ୍ଦ କରିବାକୁ କହିଛନ୍ତି, ଡିପିଆର୍ ମାଗିଛନ୍ତି। ହେଲେ କର୍ତ୍ତୃପକ୍ଷ ଏହାକୁ ଖାତିର କରୁ ନାହାନ୍ତି । କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗକୁ ନେଇ ଭକ୍ତ, ବିଭିନ୍ନ ସଂଗଠନ, ଆଇନଜୀବୀ, ରାଜନୈତିକ ଦଳ ମାଳ ମାଳ ପ୍ରଶ୍ନ ଉଠାଇବା ସହିତ ପ୍ରକଳ୍ପକୁ ସନ୍ଦେହ କରୁଥିବା ବେଳେ କର୍ତ୍ତୃପକ୍ଷ ଅତ୍ୟନ୍ତ ବେଫିକର ଭାବେ ନିର୍ମାଣ ଜାରି ରଖିଛନ୍ତି।

ପଶ୍ଚିମଦ୍ବାର ହେଉ କି ଦକ୍ଷିଣଦ୍ବାର, ଯେଉଁ ଜାଗାରେ ଖନନ ଚାଲିଥିଲା, ସେଠି ଏବେ ଏକାଧିକ ଘର ଠିଆହେଲାଣି। ଜୋରସୋରରେ କାମ ଚାଲିଛି। ନିକଟରେ ଡିଜିଙ୍କୁ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିବା ୭୭ ବର୍ଷୀୟ ଭକ୍ତ ପ୍ରଫୁଲ୍ଲ କୁମାର ସାହୁ ଆଜି ଖୋଲା ଧମକ ଦେଇଛନ୍ତି ଯେ ଶ୍ରୀମନ୍ଦିରକୁ ବିପଦ ଭିତରକୁ ଠେଲି ଦେଇ ସରକାର ଐତିହ୍ୟ ସୁରକ୍ଷାର ଡିଣ୍ଡିମ ପିଟିବା ହାସ୍ୟାସ୍ପଦ ମନେ ହେଉଛି। ଯଦି ଏହି ନିର୍ମାଣ ତୁରନ୍ତ ବନ୍ଦ ନ ହୁଏ, ଶ୍ରୀମନ୍ଦିର ନିକଟରେ ସେ ଅନଶନ କରିବେ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗ ସହିତ ଏଏସ୍ଆଇ ଏବଂ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ସନ୍ଦେହ ବଳୟ ଭିତରେ।

ଏଏସ୍ଆଇ କର୍ତ୍ତୃପକ୍ଷ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେବଳ ଚିଠି ଲେଖି ଦାୟିତ୍ବ ଛାଡିଛନ୍ତି। ଯଦି ନିୟମ ଓ ଆଇନ ବାହାରେ କିଛି ବି ନିର୍ମାଣ ହେଉଛି ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ଜଳ ଜଳ; ତେବେ ଥାନାରେ ଏଫ୍ଆଇଆର୍ ଦେବା ଲାଗି କର୍ତ୍ତୃପକ୍ଷ କୁନ୍ଥକୁନ୍ଥ କାହିଁକି ହେଉଛନ୍ତି? ଏମିତି କି ବାଧ୍ୟବାଧକତା ରହିଛି ଯେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏତେ ବଡ଼ ପ୍ରସଙ୍ଗ ଉପରେ ନିରବ ରହିଛନ୍ତି। ଓଡ଼ିଶାର ତିନି ତିନି ଜଣ କେନ୍ଦ୍ରମନ୍ତ୍ରୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁ ନିରବ କାହିଁକି? ରାଜ୍ୟ ବିଜେପିର ଆଚରଣ ଓ କେନ୍ଦ୍ରୀୟ ନେତାଙ୍କ ଆଚରଣ ଭିତରେ ଯୋଜନ ଯୋଜନ ବ୍ୟବଧାନ କାହିଁକି? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଏବେ ବିବାଦ ଭିତରେ ଛନ୍ଦି ହୋଇଗଲାଣି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସହିତ ଏହି ପ୍ରସଙ୍ଗଟି ଜଡିତ ହୋଇଥିବାରୁ ଏବଂ ନିର୍ମାଣକୁ ନେଇ ସାଧାରଣରେ ସନ୍ଦେହ ମୋଚନରେ କର୍ତ୍ତୃପକ୍ଷ ଏଯାଏ ବିଫଳ ହୋଇଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଠଗଡାକୁ ଚାଲିଆସିଲେଣି। ଯେଉଁ ଆସ୍ଥା ଓ ବିଶ୍ବାସ ରଖି ରାଜ୍ୟବାସୀ ଏହି ପ୍ରକଳ୍ପ ଆରମ୍ଭ ଦିନରେ ସରକାରଙ୍କୁ ଆଖିବୁଜା ସମର୍ଥନ କରିଥିଲେ, ଗତ ଦିନରେ କର୍ତ୍ତୃପକ୍ଷଙ୍କ କାରନାମା କାରଣରୁ ପ୍ରସଙ୍ଗକୁ ନେଇ କୋର୍ଟରେ ମାମଲା ହେଲାଣି, ଆଇନଜୀବୀ ରାସ୍ତାକୁ ଓହ୍ଲାଇଛନ୍ତି। ଭକ୍ତ ଖୋଲା ବିରୋଧ କଲେଣି, ହାଇକୋର୍ଟରେ ମାମଲା ହୋଇଛି ଏବଂ ପୁରୀରୁ ବିଧାନସଭା ଏବଂ ଲୋକସଭା ପର‌୍ୟ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ପହଞ୍ଚିସାରିଲାଣି। ଦିନକୁ ଦିନ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

Related Posts