ଆମେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବୁ; ରୁଷର ଧମକକୁ ବେଖାତିର କରି ଏପରି କହିଲା ୟୁକ୍ରେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ଦୁଇମାସ ଧରି ଯୁଦ୍ଧ ଚାଲିଛି । ଏହା ମଧ୍ୟରେ ରୁଷ ୟୁକ୍ରେନକୁ ଆତ୍ମସମର୍ପଣ କରିବାର ଧମକ ଦେଇଥିଲା । ତେବେ ୟୁକ୍ରେନର ବନ୍ଦର ସହର ମାରିୟୁପୋଲକୁ ରୁଷ ନିଜର କବଜାକୁ ନେଇ ସାରିଛି। ମାତ୍ର କିଛି ୟୁକ୍ରେନୀ ସୈନିକଙ୍କ ପ୍ରତିରୋଧର ସମ୍ମୁଖୀନ ହେଉଛି ରୁଷ। ଏଥିପାଇଁ ରୁଷ ଶୀଘ୍ର ନିଜର ହତିଆର ଛାଡିବାକୁ ୟୁକ୍ରେନ ସେନାକୁ କଡା ଚେତାବନୀ ଦେଇଛି। ତେବେ ୟୁକ୍ରେନ ମଧ୍ୟ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ଓଲକ୍ସିୟ ଆରିଷ୍ଟୋଭିଚ୍ କହିଛନ୍ତି, ରୁଷ ନିଜ ଉଦ୍ଦେଶ୍ୟରେ କେବେ ବି ସଫଳ ହୋଇ ପାରିବ ନାହିଁ। ଆମେ ଶେଷ ନିଃଶ୍ଵାସ ଥିବା ଯାଏଁ ରୁଷର ମୁକାବିଲା କରିବୁ ବୋଲି ୟୁକ୍ରେନ କହିଛି ।

ସେପଟେ ୟୁକ୍ରେନ ଉପରେ ନିଜ ଆକ୍ରମଣକୁ ଜୋରଦାର କରିଛି ରୁଷ। ଶନିବାର ରୁଷ ସେନା ଲଭିଭ ସହରର ଅନେକ ସ୍ଥାନରେ ଆକ୍ରମଣ କରିଛି। ଡୋନବାସରେ ୟୁକ୍ରେନର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଭୀଷଣ ଲଢେଇ ଚାଲିଛି। ଏହି ବିଦ୍ରୋହୀ ଗୋଷ୍ଠୀ ରୁଷର ସମର୍ଥକ। ରୁଷ ବିଦ୍ରୋହୀ ଗୋଷ୍ଠୀଙ୍କୁ ଜିତାଇବା ପାଇଁ ଡୋନବାସରେ ବଡ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଏଠାରେ ରୁଷ ସୈନିକ ଏବଂ ହତିଆର ଠୁଳ କରିବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts