ଏଣିକି ଆଉ ସରକାର ଦେବେ ନାହିଁ ଟେକ୍ସ; ହିମାଚଳ ପ୍ରଦେଶର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ନିଜ ପକେଟରୁ ହିଁ ଦେବାକୁ ପଡ଼ିବ ଟେକ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ହିମାଚଳ ପ୍ରଦେଶର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ନିଜ ପକେଟରୁ ଟେକ୍ସ ଦେବାକୁ ପଡିବ। ଏପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାୟକ ଏବଂ ମନ୍ତ୍ରୀଙ୍କ ଟେକ୍ସ ଦେଉଥିଲେ। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ଠାରୁ ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ନିଜ ନିଜ ଟ୍ୟାକ୍ସ ଦେବେ, ଯାହା ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିଲା ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେପଟେ ସିଏମ୍ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ୍ ବୈଠକରେ ମନ୍ତ୍ରୀଙ୍କ ଦରମା ଏବଂ ଭତ୍ତା ଅଧିନିୟମ, ୨୦୦୦ ଏବଂ ହିମାଚଳ ପ୍ରଦେଶ ବିଧାନସଭା ଅଧିନିୟମର ଧାରା ୧୧ – ଏ କୁ ହଟାଇବା ପାଇଁ ଏକ ନିୟମ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ସେମାନଙ୍କ ଦରମା ଏବଂ ଭତ୍ତା ଉପରେ ଆୟକରରୁ ମୁକ୍ତ କରିଥାଏ । ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଭରଦ୍ୱାଜ ସୂଚନା ଦେଇଛନ୍ତି ଯେ ହିମାଚଳ ପ୍ରଦେଶର ବିଜେପି ସରକାର ଏହି ଆଇନରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ଯେ ବିଧାୟକଙ୍କ ଟ୍ୟାକ୍ସକୁ ଆଉ ସରକାର ପ୍ରଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ପ୍ରତ୍ୟେକ ବିଧାୟକଙ୍କ ଠାରୁ ୨.୫ ଲକ୍ଷ ଟଙ୍କା ସଞ୍ଚୟ ହେବ ।

ସେ କହିଛନ୍ତି ଯେ ଏହି ବ୍ୟବସ୍ଥା ଦୀର୍ଘ ଦିନ ଧରି ରହିଆସିଛି ଏବଂ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ନେତୃତ୍ୱରେ ବିଜେପି ସରକାର ଏହି ଆଇନରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ଏଥି ସହିତ ବିରୋଧୀ ଦଳ ମଧ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ କଂଗ୍ରେସ ଏହି ନିଷ୍ପତ୍ତି ସପକ୍ଷରେ ଅଛି। ଯେତେବେଳେ କି, ସିପିଆଇ (ଏମ୍) ବିଧାୟକ ରାକେଶ ସିଙ୍ଗା କହିଛନ୍ତି ଯେ ଏହା ଏକ ସଠିକ୍ ନିଷ୍ପତ୍ତି ଯଦିଓ ଏହା ପୂର୍ବରୁ ନିଆଯାଇଥାନ୍ତା । ସେପଟେ ଗତ ମାସରେ ଏହି ପରିପ୍ରେକ୍ଷୀରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଆୟକର ଦେୟ ସମ୍ପର୍କରେ ପ୍ରଶ୍ନ ଉଠାଇ ହାଇକୋର୍ଟରେ ଏ ସମ୍ପର୍କରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ଏହି ସମୟରେ ରାଜ୍ୟ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଦରମା ଉପରେ ଟିକସ ଦେବାକୁ ପଡିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts