ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲ୍ହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ହାଫିଜ୍ ସୟିଦର ପୁଅ ହାଫିଜ ତଲ୍ହା ସୟିଦକୁ ଆତଙ୍କବାଦୀ ଘୋଷଣା କଲା ଭାରତ |
୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତୋଇବାର ପ୍ରମୁଖ ହାଫିଜ ସୟିଦ | ହାଫିଜ ତଲ୍ହା ସୟିଦକୁ ଭାରତୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଛି। UAPA ଆଇନ୍ ଅନୁସାରେ ତାକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରାଳୟ। ଏନେଇ ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ ଏକ ବିସ୍ତୃତ ନୋଟିଫିକେସନ୍‌ ମଧ୍ୟ ଜାରି ହୋଇଛି।

ବାପା ପରି ପୁଅ ‘ହାଫିଜ ତଲ୍ହା ସୟିଦ ଆତଙ୍କବାଦୀ କାର୍ଯ୍ୟକଳାପା ପାଇଁ ପାଣ୍ଠି ସଂଗ୍ରହ, ଆତଙ୍କବାଦୀ ନିଯୁକ୍ତି, ସେମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟ କରୁଛି। ସେ ଲଗାତାର ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସମ୍ପତ୍ତିକୁ ଟାର୍ଗେଟ କରିବାକୁ ଯୋଜନା କରୁଛି । ଏପରିକି ଅଶାନ୍ତି ଓ ଆତଙ୍କ ସୃଷ୍ଟି କରିବା ନେଇ ପ୍ରୟାସ କରୁଛି | ତଲ୍ହା ସୟିଦ ପାକିସ୍ତାନର ଲସ୍କର-ଏ-ତୋଇବା ବେସକୁ ବାରମ୍ବାର ଯାଉଛି ଏବଂ ଏଠାରେ ନିଜ ଭାଷଣରେ ଭାରତ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଜିହାଦ ବିଷୟରେ ଆଲୋଚନା କରୁଛି ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ମୁତାବକ, ହାଫିଜ ତଲ୍ହା ସୟିଦର ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭାରତ ବିରୋଧୀ ବୟାନ ଦେଉଥିବା ଶୁଣିବାକୁ ମିଳିଛି। ୨୦୧୭ ରେ ହାଫିଜ ତହ୍ଲାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ ଯେ ଜମ୍ମୁ କଶ୍ମୀରରେ ଜିହାଦ ହେବ। ଲସ୍କର-ଏ-ତୋଇବା ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏକ ଆତଙ୍କବାଦୀ ସଂଗଠନ, ଯାହା ତାଲ୍ହାର ବାପା ହାଫିଜ ମହମ୍ମଦ ସୟିଦଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

ଏହି ଆତଙ୍କବାଦୀ ସଂଗଠନର ଉଦ୍ଦେଶ୍ୟ ହେଉଛି ଭାରତରେ ଏବଂ ବିଶେଷକରି ଜମ୍ମୁ କଶ୍ମୀରରେ ଅସ୍ଥିରତା ବିସ୍ତାର କରିବା। ଗତ ବର୍ଷ ଜୁନରେ ହାଫିଜ ସୟିଦଙ୍କ ଘର ନିକଟରେ ଏକ ବିସ୍ଫୋରଣ ହୋଇଥିଲା। ସେତେବେଳେ ତଲ୍ହାକୁ ଶେଷ ଥର ପାଇଁ ଦେଖାଯାଇଥିଲା। ଏହି ବିସ୍ଫୋରଣରେ ଆହତମାନଙ୍କୁ ଭେଟିବା ପାଇଁ ତଲ୍ହା ସୟିଦ ଲାହୋରର ଏକ ଡାକ୍ତରଖାନାରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ହାଫିଜ୍ ସୟିଦକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ କୋର୍ଟ। ତାଙ୍କୁ ଦୁଇଟି ମାମଲାର ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ସମସ୍ତ ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts