ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି । ସେପଟେ ରୁଷାର କାର୍ଯ୍ୟକଳାପ ପାଇଁ ତାକୁ ଅଣଦେଖା କରିବା ପାଇଁ ଆମେରିକା ଅନେକ କଟକଣା ଜାରି କରିଛି । ଏସବୁକୁ ଅନ୍ୟ ଦେଶମାନେ ମାନୁଥିବାବେଳେ ରୁଷର ପୁରୁଣା ବନ୍ଧୁ ଭାରତ ଏସବୁ ଖାତିର ନ କରି ଅଧିକ ମାତ୍ରରେ ଜିନିଷ ଆମଦାନୀ କରିବାରେ ଲାଗିଛି । କିନ୍ତୁ ଏସବୁକୁ ସହଜରେ ହଜମ କରିପାରୁ ନାହିଁ ଆମେରିକା । ତେବେ ଆମେରିକା ରାଷ୍ଟ୍ର୍ରପତିଙ୍କ କାର୍ୟ୍ୟାଳୟରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଋଷ ଠାରୁ ତୈଳ ଓ ଅନ୍ୟ ସାମଗ୍ରୀ ଅଧିକ ମାତ୍ରାରେ ଆମଦାନୀ କରିବା ଭାରତ ପାଇଁ ହିତକର ନୁହେଁ । ଏଭଳି କହି ଭାରତକୁ ପରୋକ୍ଷରେ ଚେତାବନୀ ଦେଉଛି ଆମେରିକା । ଏହାପୂର୍ବରୁ ଆମେରିକାର ଅଧିକାରୀ ଦଲ୍ଲୀପ ସିଂ ଭାରତ ଗସ୍ତରେ ଆସିବା ସହ କହିଥିଲେ, ଋଷ ସହ ଭାରତ ସମ୍ପର୍କ ନ ବଢାଉ । ଏପରିକି ଋଷ ଠାରୁ କମ ଦରରେ ତୈଳ କିଣିଲେ ଆମେରିକାର କଟକଣାର ଶିକାର ହେବାକୁ ପଡିବ । ଋଷ ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଭାରତକୁ ଆମେରିକା ସହଯୋଗ କରିବ ବୋଲି ଦଲ୍ଲୀପ କହିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଥିଲା ।
ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି, ଋଷ ଠାରୁ ଅଧିକ ମାତ୍ରାରେ ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ କରିବା ଭାରତ ପାଇଁ ହିତକର ନୁହେଁ । ଅନ୍ୟପଟେ ଋଷ ରିହାତି ଦରରେ ଏବେ ଭାରତକୁ ଇନ୍ଧନ ଓ ତୈଳ ଯୋଗାଉଛି । ଏବେ ଋଷ ବ୍ୟାରେଲ ଉପରେ ୩୫ ଡଲାର ରିହାତି ଦେଉଛି । ଆମେରିକାର କଟକଣା କାରଣରୁ ଏବେ ଡଲାରରେ ବ୍ୟବସାୟ କରିବା ଋଷ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏଭଳିସ୍ଥଳେ ଭାରତ ସହ ଅନ୍ୟ ଉପାୟରେ କାରବାର କରୁଛି ଋଷ । ଅନ୍ୟପଟେ ଋଷର ବୈଦଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିବା ବେଳେ ଭାରତକୁ ଯାହା ଦରକାର ଋଷ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ଆଉ ଏହାପରେ ଋଷ ଠାରୁ ଅଧିକ ମାତ୍ରାରେ ତୈଳ କିଣିବାକୁ ନିଷ୍ପତ୍ତି ନେଇଥିଲା ଭାରତ ।
ଏପରିକି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ କହିଥିଲେ, ଭାରତ ପାଇଁ ନିଜର ସୁରକ୍ଷା ସର୍ବୋପରି । ଯଦି ଇନ୍ଧନ ମିଳିବ ତେବେ ଭାରତ କିଣିବ । ଗୋଟିଏ ପଟେ ଋଷ ସହ ବ୍ୟବସାୟ ନ କରିବାକୁ ଅନ୍ୟ ଦେଶ ଉପରେ ଆମେରିକା ଚାପ ପକାଉଥିବା ବେଳେ ନିଜେ କିନ୍ତୁ ବ୍ୟବସାୟକୁ ପୂର୍ବପେକ୍ଷା ଅଧିକ ବଢାଇଛି । ଋଷ ଠାରୁ ପ୍ରଚୁର ପରିମାଣରେ ଅଶୋଧିତ ତୈଳ କିଣୁଛି ଆମେରିକା । ଗତ ଗୋଟିଏ ସପ୍ତାହ ମଧ୍ୟରେ ୪୩% ଅଧିକ ଅଶୋଧିତ ତୈଳ କିଣିଛି ଆମେରିକା । ସବୁଠୁ ବଡ କଥା ହେଲା, ଋଷ ଠାରୁ ଆମେରିକା ଶସ୍ତାରେ ତୈଳ କିଣି ୟୁରୋପୀୟ ଦେଶ ଗୁଡିକୁ ଅଧିକ ଦରରେ ବିକ୍ରି କରୁଛି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।