ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ବ୍ୟକ୍ତିଙ୍କ ଫଟୋ ଧରି ଖୋଜୁଛି ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ବ୍ୟକ୍ତିଙ୍କ ଫଟୋ ଧରି ଖୋଜୁଛି ପୋଲିସ । ଶ୍ରୀମନ୍ଦିର ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତିଙ୍କ ଭିଡିଓ ଏବଂ ଫଟୋକୁ ସେବାୟତମାନଙ୍କୁ ଚିହ୍ନଟ ପାଇଁ ଦିଆଯାଇଛି । ଏପରିକି ମୋବାଇଲରେ ସେହି ଭିଡିଓ ଫଟୋକୁ ଧରି ବିଭିନ୍ନ ଛକ, ବଜାରରେ ଲୋକଙ୍କୁ ଦେଖାଇ ଚିହ୍ନଟ ପାଇଁ ପ୍ରୟାସ କରୁଛି ପୋଲିସ । ଆବଶ୍ୟକ ପଡିଲେ ସଂପୃକ୍ତି ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରାଯିବ ବୋଲି କହିଛନ୍ତି ପୁରୀ ଏସପି । ସେପଟେ ତଦନ୍ତ ଯେତିକି ଆଗଉଛି, ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ସେତିକି ଜଳଜଳ ହୋଇ ଦେଖା ଯାଉଛି । ୨ ତାରିଖ ରାତିରେ ପଡିନଥିଲା ରୋଷଘର ତାଲା । ବଡସିଂହାର ଭୋଗ ପରେ ରୋଷ ପାଇକ, ଧୋ ପଖାଳୁଆ, ଅଙ୍ଗାରୁଆ ଏବଂ ରବାଡିଆ ସେବାୟତ ରୋଷଘର କାମ ସାରିବା ପରେ ରୋଷ ଦୁଆରୀ ତାଲା ପକାଇ ଗାରଦରେ ଚାବି ଜିମା ଦେଇଥାନ୍ତି । ହେଲେ ଘଟଣାଦିନ ରୋଷଘର ଦ୍ୱାର କତା ଦଉଡିରେ ବନ୍ଧା ଯାଇଥିଲା ।

ତେଣୁ ଦୁର୍ବୃତ ଭିତରେ ପଶି ଚୁଲି ଭାଙ୍ଗିଛନ୍ତି । ସେବାୟତଙ୍କୁ ଡାକି ସିସିଟିଭି ଫୁଟେଜ ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ । ଏଥିରୁ ଜଣାପଡୁଛି ଯେ, ଧଳାସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ପୋଷାକଟି ରୋଷଘର ହଳଦୀ ଲାଗି ସଂପୂର୍ଣ୍ଣ ହଳଦିଆ ହୋଇଯାଇଥିବାବେଳେ ରୋଷଘରୁ ବାହାରି ମୁଦୁଲି ଦ୍ୱାର ଦେଇ ନାଟ ମଣ୍ଡପକୁ ପ୍ରବେଶ କରୁଛନ୍ତି । ରାତି ପ୍ରାୟ ଗୋଟାଏ ୧୫ରେ ଧୋପଖାଳ ସେବାୟତ ଚୁଲି ଭଙ୍ଗା ନେଇ ଶ୍ରୀମନ୍ଦିର ଗାରଦରେ ଅଭିଯୋଗ କରିଥିଲେ । ହେଲେ ରାତି ଗୋଟାଏ ୨୫ରେ ଶ୍ରୀମନ୍ଦିର ଶୋଧ କରୁଥିବା ୪ ଜେଟିପି ସେହି ବ୍ୟକ୍ତିଙ୍କୁ ଧରି ସିଂହଦ୍ୱାର ବାହାରେ ଛାଡି ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଅବାଧରେ ବୁଲୁଥିବା ଏହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ ନଥିବା ତାଙ୍କ ଆଚରଣରୁ ଜଣା ପଡୁଥିବା କହିଛନ୍ତି ସେବାୟତ । ତେଣୁ ସେ ହିଁ ଚୁଲି ଭାଙ୍ଗିଥିବା ସନ୍ଦେହରେ ପୋଲିସ ଖୋଳତାଡ କରୁଛି ।

Related Posts