ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କିଏ ଏହାକୁ ମନ୍ଦିର ପାଇଁ ବିପଦ ବୋଲି କହୁଥିବାବେଳେ ଆଉ କିଏ ଐତିହ୍ୟ କରିଡରର କାମ ପାଇଁ ଏପରି ହେଉଛି ବୋଲି କହିଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି । ତେବେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା। ତା’ସତ୍ତ୍ବେ ଏଭଳି ଘଟଣା ଘଟିଲା। ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ। ତାଙ୍କ ଉପରେ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ନିଅନ୍ତୁ। କାହାକୁ ସୁରକ୍ଷା ଦିଆ ନଯାଉ। ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବା କଥା । କିନ୍ତୁ କେହି ନାହାନ୍ତି ଏବଂ ଘଟଣା ଦିନ ମଧ୍ୟ ସୁରକ୍ଷା ଅଧିକାରୀ କେହି ନ ଥିଲେ।
ଶ୍ରୀମନ୍ଦିର ସୁରକ୍ଷା ନେଇ ଗତ ୨୦୧୯ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ଚାରିଟି କ୍ଷେତ୍ରରେ ଅବମାନନା କରୁଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ବେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିନାହାନ୍ତି, ଯାହାକି କୋର୍ଟର ନିର୍ଦ୍ଦେଶର ଅବମାନନା। ତା’ ସହ ଚତୁଃପାର୍ଶ୍ୱରେ ବିକାଶ ପାଇଁ ସେହି କାମ କରି ହେବ ଯେଉଁଥିରେ କୌଣସି ଆପତ୍ତି ନଥିବ। ଟେମ୍ପଲ ଫଣ୍ଡର ଅଡିଟ ସିଏଜିଙ୍କ ଦ୍ୱାରା ହେଉନାହିଁ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ରାଜ୍ୟ ସରକାର। ଆର୍ଥିକ ସ୍ୱାର୍ଥ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ବଡ଼ବାବୁମାନେ ଏଭଳି କାମ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।