ଅର୍ଥନୈତିକ ସଙ୍କଟକୁ ନେଇ ହିଂସାତ୍ମକ ବିରୋଧ ପରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅର୍ଥନୈତିକ ସଙ୍କଟକୁ ନେଇ ହିଂସାତ୍ମକ ବିରୋଧ ପରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା । ତେବେ ଏପ୍ରିଲ ୧ ତାରିଖରୁ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ସହ ସର୍ବସାଧାରଣଙ୍କ ନିରାପତ୍ତା ରକ୍ଷା କରିବା, ଶୃଙ୍ଖଳା ଓ ଯୋଗାଣ ବଜାୟ ରଖିବା ଏବଂ ଅତ୍ୟାବଶ୍ୟକ ସେବା ଚାଲୁ ରଖିବା ପାଇଁ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବା କଥା ରାଜପକ୍ଷେ କହିଛନ୍ତି। ସେପଟେ ପ୍ରତିବାଦକାରୀମାନେ ଚିତ୍କାର କରି ‘ଘରକୁ ଯାଅ ଗୋତ’ ବୋଲି କହିବାରୁ ସେମାନଙ୍କ ପ୍ରତି ଲୁହବୁହା ବାଷ୍ପ ଏବଂ ପାଣି ମାଡ଼ କରାଯାଇଥିବା ରିପୋର୍ଟ ହୋଇଛି। ନୂୱାରା ଏଲିୟା ନଗରୀରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପତ୍ନୀ ଶିରାନ୍ତି ଉଦ୍ଘାଟନ କରିବାକୁ ଥିବା ପୁଷ୍ପ ପ୍ରଦର୍ଶନୀକୁ ମଧ୍ୟ ପ୍ରତିବାଦକାରୀମାନେ ବନ୍ଦ କରିଥିବାର ସୂଚନା ମିଳିଛି ।

ଅନ୍ୟପଟେ ଶ୍ରୀଲଙ୍କା ସମ୍ବିଧାନର ଧାରା ୧୫୫ ଅନୁସାରେ, ପରିସ୍ଥିତିକୁ ବିଚାର କରି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କର ସ୍ବାଧୀନତା ରହିଛି। ତାଙ୍କର ଏହି ଘୋଷଣାକୁ କୌଣସି ଅଦାଲତରେ ଚାଲେଞ୍ଜ୍ କରି ହେବନାହିଁ। ରାଷ୍ଟ୍ରପତି ଜାରି କରିଥିବା ଏହି ଘୋଷଣା ୧ ମାସ ପର‌୍ୟ୍ୟନ୍ତ ବୈଧ୍ୟ ରହିବ। ଏହା ବ୍ୟତିରେକେ, ୧୪ ଦିନ ମଧ୍ୟରେ ପାର୍ଲାମେଣ୍ଟ୍ ଏହି ଘୋଷଣାକୁ ଅନୁମୋଦନ କରିବା ଆବଶ୍ୟକ। ଯଦି ପାର୍ଲାମେଣ୍ଟ୍ରେ ଗୃହୀତ ନ ହୁଏ, ତେବେ ଏହି ଘୋଷଣାର ଅବସାନ ଘଟିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts