ପୌର ନିର୍ବାଚନ: ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍, ଇଭିଏମ୍‌ରେ ତ୍ରୁଟି ଯୋଗୁଁ ବାତିଲ ହୋଇଥିଲା ମତଦାନ

ନବରଙ୍ଗପୁର: ରାଜ୍ୟରେ ଶେଷ ହୋଇଛି ପୌର ନିର୍ବାଚନ ଲାଗି ମତଦାନ। ନିର୍ବାଚନ ପକ୍ରିୟା ଶେଷ ହେବା ପର୍ଯ୍ୟନ୍ତ 50 ପ୍ରତିଶତରୁ ଅଧିକ ମତଦାନ ହୋଇଛି। ସେପଟେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ଥିବା ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା ।

ଉମରକୋଟ୍ ଆସନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ନାଁ ୧୪ ନମ୍ବର ବୁଥ୍‌ରେ ଥିବା ଇଭିଏମ୍‌ରେ ନ ରହି ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଉଲ୍ଲେଖ ରହିଥିଲା । ଏ କଥା ଜଣାପଡ଼ିବା ବେଳକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା ।

ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୁଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ । ଏହାପରେ ଆଜି ପୁଣି ଥରେ ଭୋଟ ହେବ ବୋଲି ଜଣାପଡ଼ିଛି ।

Related Posts