୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଭ୍ୟାକସିନ୍‌: ୧୬ ରୁ ଆରମ୍ଭ ଟୀକାକରଣ

ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ଜୋର ଧରିଛି କରୋନା ଟିକାକରଣ ପକ୍ରିୟା । ବିଭିନ୍ନ ବର୍ଗ ବୟସର ବ୍ୟକ୍ତିଙ୍କ ଟିକାକରଣ ଚାଲିଥିବା ବେଳେ, ଏବେ ୧୨ରୁ ୧୪ ବର୍ଷ ବୟସର ଶିଶୁଙ୍କୁ ଟିକାକରଣ ନେଇ ନେଇ ଆସିଛି ବଡ଼ ଖବର । 16 ତାରିଖରୁ ଟୀକା ଦିଆଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ।

ମାର୍ଚ୍ଚ ୧୬ ତାରିଖରୁ ଦେଶରେ ୧୨ ବର୍ଷରୁ ୧୪ ବର୍ଷ ବୟସ ବର୍ଗର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କୁ କୋର୍ବେଭାକ୍ସ (Corbevax) ଭ୍ୟାକସିନ୍‌ ଦିଆଯିବ । ବାୟୋଲୋଜିକାଲ ଇ ଲିମିଟେଡ୍‌ କମ୍ପାନୀ ଦ୍ବାରା କୋର୍ବେଭାକ୍ସ ଟିକା ତିଆରି କରାଯାଇଛି । କେବଳ ଶିଶୁ ନୁହେଁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ । ଏବେ ଭାରତରେ ଆଗଧାଡିର କରୋନା ଯୋଦ୍ଧା, ଯେପରିକି ସ୍ବାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ରୋଗରେ ପୀଡିତ ଥିବା ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଉଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ଟ୍ବିଟ୍‌ କରି କହିଛନ୍ତି, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ଆଗକୁ ସେ ଲେଖିଛନ୍ତି, ‘ଆସନ୍ତା ମାର୍ଚ୍ଚ ୧୬ ତାରିଖ ଠାରୁ ଦେଶରେ ୧୨ ରୁ ୧୪ ବର୍ଷ ବୟସ ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ । ଏହା ସହିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ବୁଷ୍ଟର ଡୋଜ୍‌ ନେଇପାରିବେ’ ।

Related Posts