କରୋନା କବଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ, ଏବେ ଚର୍ତୁଥ ଲହରକୁ ନେଇ ଆଶଙ୍କା ଦେଖା ଦେଲାଣି | ତେବେ ଏହାରି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କରୋନା ପଞ୍ଝାରେ ପଡିଛନ୍ତି | ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଖୋଦ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି ଯେ ‘ମୁଁ କରୋନାରେ ସଂକ୍ରମିତ ହୋଇଛି। ଗତ କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି। ମିସେଲ ଏବଂ ମୁଁ ଟିକା ନେଇସାରିଛୁ। ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ହୋଇଛି।’

ଓବାମା ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମ୍ମି କାର୍ଟର୍‌, ଜର୍ଜ ଡବ୍ଲୁ. ବୁସ୍‌, ବିଲ୍‌ କ୍ଲିଣ୍ଟନ୍‌ ଏବଂ ପୂର୍ବତନ ‘ଫାଷ୍ଟ୍‌ ଲେଡି’ମାନେ ଗତ ମାର୍ଚ ମାସରେ ରିଲିଜ୍‌ ହୋଇଥିବା ୧ ମିନିଟ୍‌ର ଭିଡିଓରେ ଦେଖା ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ଟିକାକରଣ ଅଭିଯାନକୁ ସମର୍ଥନ କରିଥିଲେ। ଏଥିରେ ଓବାମା କହିଥିଲେ, ଏହି ଟିକାର ଅର୍ଥ ଆଶା। ଏହା ଆପଣଙ୍କୁ ଏବଂ ଆପଣ ସ୍ନେହ କରୁଥିବା ଲୋକମାନଙ୍କୁ ଏହି ବିପଜ୍ଜନକ ତଥା ମାରାତ୍ମକ ରୋଗରୁ ସୁରକ୍ଷା ଦେବ।

ସେପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, କୋଭିଡ୍‌-୧୯ରୁ ଆପଣଙ୍କ ଆଶୁ ଆରୋଗ୍ୟ ଏବଂ ଆପଣଙ୍କ ପରିବାରର ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ମୋର ଶୁଭକାମନା।

Related Posts