ଦେଶରେ ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ତେବେ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିବା ବେଳେ, ପ୍ରାୟ ସାମ୍ନାକୁ ଫଳାଫଳ ଚାଲିଆସିଛି । କେବଳ ପଞ୍ଜାବ କୁ ଛାଡ଼ି ଦେଇ ଅନ୍ୟ ସମସ୍ତ 4ଟି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସୁନିଶ୍ଚିତ ହୋଇଯାଉଛି। ତେବେ ଏହାରି ମଧ୍ୟରେ ଆଉ ଏକ ଚର୍ଚ୍ଚା ମୁଣ୍ଡ ଟେକିଛି।
ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)କୁ ସରକାର ଲାଗି ପୂର୍ଣ୍ଣ ବହୁମତ ମିଳିଛି। ପଞ୍ଜାବରେ ଏଏପି ରାଜନୀତିର କାୟାକଳ୍ପ କରିଦେଇଛି। ଏଥିରୁ କଂଗ୍ରେସ ଲାଗି ଏବେ ବିଜେପି ଯେତିକି ଚିନ୍ତାର ବିଷୟ ନୁହେଁ ଏଏପି ହିଁ ସବୁଠୁ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି। ତେବେ ଏହା କାହିଁକି ଆସନ୍ତୁ ଜାଣିବା।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଦମୀ ପାର୍ଟି ପ୍ରଥମ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ବେଳେ ଦେଶରେ ସମ୍ପୂର୍ଣ୍ଣ ନୂଆ ରାଜନୈତିକ ଦଳ ଥିଲା। ୭୦ ସଦସୀୟ ବିଧାନସଭାରେ ଆମ ଆଦମୀ ପାର୍ଟି ୨୮ଟି ଆସନରେ ବିଜୟୀ ହୋଇଥିଲା। ଏଥିରେ ପାର୍ଟି ବାହାରୁ କଂଗ୍ରେସର ସମର୍ଥନ ନେଇ ସରକାର ଗଢିଥିବା ବେଳେ ଠିକା ଭାବେ ଚାଲିପାରୁନଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ଆପକୁ ଏଠାରେ ପୂର୍ଣ୍ଣ ବହୁମତ ମିଳିଯାଇଥିଲା। ୭୦ରୁ ୬୭ଟି ଆସନରେ ଆପ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ସେଥର କଂଗ୍ରେସ ଖାତା ମଧ୍ୟ ଖୋଲିପାରିନଥିଲା।
ତେବେ ୨୦୧୩ରୁ ଏପର୍ଯ୍ୟନ୍ତ ଏଠାରେ ବିଜେପିର ଭୋଟ ପ୍ରତିଶତରେ ସେମିତି କିଛି ପରିବର୍ତ୍ତନ ହୋଇ ନାହିଁ। ୨୦୧୩ରେ ବିଜେପିକୁ ଜାତୀୟ ରାଜଧାନୀରେ ୩୩ ପ୍ରତିଶତ ଭୋଟ ମିଳିପାରିଥିବା ବେଳେ ୨୦୧୫ ବେଳକୁ ୩୨.୫ ପ୍ରତିଶତକୁ ଖସିଥିଲା ପରେ ଆହୁରି ଖରାପ ହେବାରେ ଲାଗିଛି। ଏଥିରୁ ଆମଆଦମୀ ପାର୍ଟି କଂଗ୍ରେସର ପାରମ୍ପରିକ ଭୋଟକୁ ନିଜ ପାଲରେ ପକାଇ ସାରିଥିବାର ଏବେ ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। କାରଣ ୨୦୧୩ ବେଳକୁ ଜୀତାୟ ରାଜଧାନୀରେ କଂଗ୍ରେସର ଅନୁନ୍ୟ ୪୦ ପ୍ରତିଶତ ଭୋଟ ରହୁଥିଲା। ଏବେ ୫.୫ ପ୍ରତିଶତ ବି ଆଉ ନାହିଁ।
ଏଠାରେ ପଞ୍ଜାବ କଥା ବିଚାରକୁ ନିଆଯାଉ। ଏଠାରେ ଏଏପି ପ୍ରଥମ ଥର ୨୦୧୫ ମସିହାରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା କରିଥିଲା। ଏହା ପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ଏଏପି ଅନେକ ଆସନରେ ପ୍ରାର୍ଥୀ ଦେଇଥିଲା। ଏଥିରୁ ପ୍ରାୟ ସ୍ଥାନରେ ଅମାନତ ହରାଇଥିବା ବେଳେ କିଛି ଆସନରେ ବିଜୀୟ ମଧ୍ୟ ହୋଇଥିଲା। ତେବେ ବିଧାନସଭା ନିର୍ବାଚନରେ ଏଏପିକୁ ୨୪.୪ ପ୍ରତିଶତ ଭୋଟ ମିଳିଥିଲା ଓ ପାର୍ଟି ୪ଟି ଆସନରେ ବିଜୟୀ ହୋଇଥିଲା। ପରେ ଅନୁଷ୍ଠିତ ହୋଇଥିବା ୨୦୧୭ ବିଧାନସଭା ନିର୍ବାଚନରେ ୨୦ଟି ଆସନ ହାତେଇବା ସହ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା।
ତେବେ ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରିଣ କନ୍ଦଳ ଉପରେ ଏଏପିର ପୁରା ନଜର ରହୁଥିଲା ଓ ଦଳ ଏହାର ଭରପୁର ଫାଇଦା ନେବାକୁ ଉଦ୍ୟମ କରିଥିବା ବେଳେ ଏବେ ସଫଳ ହୋଇଛି। ଏବେ ଦେଶରେ ଦିଲ୍ଲୀ ପରେ ପଞ୍ଜାବରେ ଆପର ଦ୍ୱିତୀୟ ସରକାର ହୋଇଛି। ଗୋଆରେ ଏଥର ଆପ ଖାତା ଖୋଲିଛି। ଉତ୍ତରାଖଣ୍ଡରେ ମଧ୍ୟ ଦଳକୁ ଏଥର ସେପରି ସଫଳତା ମିଳି ନାହିଁ। ହେଲେ ଆଗକୁ ଏଏପି ଏଠାରେ ମଧ୍ୟ କଂଗ୍ରେସକୁ ତଡିବାରେ ପୁରା ସଫଳ ହେବ ବୋଲି ଏବେ ଅନୁମାନ କରାଯାଉଛି।
ସେପଟେ ଆପ ର ଏହି ସଫଳତା କେଉଁଠି ନା କେଉଁଠି ବିଜେପି ପାଇଁ ଘାତକ ସୃଷ୍ଟି କରିଛି । ଏବେ ବିଜେପି ପାଇଁ ଆପ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ସାମ୍ନାକୁ ଆସିଛି ।