ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ବିଜେପି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଜଣେ ସାଂସଦ ହୋଇ ଜଣେ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାରକୁ କଠୋର ନିନ୍ଦା କରିଛି କଂଗ୍ରେସ । ଏହା ସହ ଜୁଏଲଙ୍କ ବିରୋଧରେ ମାମଲା ରୁଜୁ ହେବା ସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କେବଳ ଏତିକି ନୁହେଁ ଜୁଏଲ ନିଜ ପଦରୁ ଇସ୍ତଫା ଦେବା ସହିତ ଦଳ ମଧ୍ୟ ତାଙ୍କୁ ବହିଷ୍କାର କରୁ ବୋଲି ଦାବି କରିଛି କଂଗ୍ରେସ ।
ଅନ୍ୟପଟେ ଦଳର ନେତ୍ରୀ ଗୌରୀ ମୁଣ୍ଡାରୀଙ୍କୁ ଜୁଏଲ୍ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଝିରପାଣୀ ଥାନାରେ ଅଭିଯୋଗ ହୋଇଛି । ଦଫା ୨୯୪ ଓ ୫୦୯ରେ ଜୁଏଲଙ୍କ ନାମରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି । ଏହା ସହ ତାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି ।