ୟୁକ୍ରେନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ରୁଷିଆ । ୟୁକ୍ରେନ ସମସ୍ୟାର ସମାଧାନ ପାଇଁ ଜେନେଭା ଠାରେ ଗତ ୨୧ ତାରିଖରୁ ଦୁଇ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ସୋମବାର ବିଫଳ ହୋଇଛି। ଏହା ପରେ ଆମେରିକା ନେତୃତ୍ବରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଶକ୍ତ ପଦକ୍ଷେପ ନିଆଯାଇଛି।
କୌଣସି ମୁହୂର୍ତ୍ତରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ‘ନାଟୋ’ ପକ୍ଷରୁ ୟୁକ୍ରେନ୍ ସୀମାରେ ଲଡୁଆ ଯୁଦ୍ଧ ବିମାନ ମୁତୟନ କରାଯିବା ଆରମ୍ଭ ହୋଇଛି। ୟୁକ୍ରେନ ସୁରକ୍ଷା ପାଇଁ ନାଟୋ ଅନ୍ତର୍ଭୁକ୍ତ ବିଭିନ୍ନ ରାଷ୍ଟ୍ରମାନଙ୍କ ପକ୍ଷରୁ ପୂର୍ବ ୟୁରୋପକୁ ଯୁଦ୍ଧ ଜାହାଜ ଏବଂ ଲଢୁଆ ବିମାନ ପଠାଯାଇଛି। ବର୍ତ୍ତମାନ ଏଫ-୩୫, ଏଫ୍-୧୬ ଲଢୁଆ ବିମାନ, ବିପୁଳ ସଂଖ୍ୟାରେ ଯବାନ ଏବଂ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବା ବେଳେ ନାଟୋର ଅନ୍ୟ ସଦସ୍ୟ ରାଷ୍ଟ୍ର ସେନା ଏବଂ ଅସ୍ତ୍ରଶସ୍ତ୍ର ପଠାଇବେ ବୋଲି କହିଛନ୍ତି।
ଏଭଳି ସ୍ଥିତିକୁ ନେଇ ସଂପୃକ୍ତ ଅଞ୍ଚଳରେ ଯୁଦ୍ଧ ପ୍ରାୟ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନରେ ରହିଥିବା ଆମେରିକୀୟ ଦୂତାବାସ ଖାଲି କରିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ରୁଷିଆ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା ପୂର୍ବରୁ ଚେତାବନୀ ଦେଇସାରିଛି। ସେହିପରି ୟୁକ୍ରେନରୁ ନାଟୋ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ନ କଲେ କିଛି ବି ଘଟିପାରେ ବୋଲି ରୁଷିଆ ମଧ୍ୟ ପରୋକ୍ଷ ଚେତାବନୀ ଜାରି କରିଛି |
କେବଳ ଆମେରିକା ନୁହେଁ, ବ୍ରିଟେନ ମଧ୍ୟ ୟୁକ୍ରେନରେ ଥିବା ନିଜ ଦୂତାବାସରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଦିନକୁ ଦିନ ରୁଷର ଭୟ ବଢ଼ୁଥିବାରୁ ଡେନମାର୍କ, ସ୍ପେନ, ବୁଲଗେରିଆ, ନେଦରଲାଣ୍ଡ ସମେତ ନାଟୋର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି। ୟୁକ୍ରେନର ସହାୟତା ପାଇଁ ନାଟୋ ବାହିନୀ ପ୍ରସ୍ତୁତ ଥିବା ଏହାର ମୁଖ୍ୟ ଘୋଷଣା କରିଛନ୍ତି |