ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶରେ ନିର୍ବାଚନ ପାଖେଇ ଆସିଲେ ନେତାମାନଙ୍କର ବେରଜଗାର କଥା ମନେ ପଡ଼ିଯାଇଥାଏ । ସେପଟେ ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ବିଭିନ୍ନ ସ୍କିମ ନେଇ ଲୋକଙ୍କ ପାଖକୁ ଯିବାରେ ଲାଗିଛନ୍ତି । କିଏ ମାଗଣା ବିଜୁଳି ଦେବି କହୁଛି ତ ଆଉ କିଏ ନିଯୁକ୍ତି । ଏସବୁକୁ ଦେଖିଲେ ଏପରି ଲାଗୁଛି ଯେ ବିକାଶ କାର୍ଯ୍ୟକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ନିଯୁକ୍ତିକୁ ନେଇ କବଡ଼ ଘୋଷଣା କରିଛନ୍ତି । ତେବେ ସମାଜବାଦୀ ପାର୍ଟି ଜିତିଲେ ଆଇଟି କ୍ଷେତ୍ରରେ ରୋଜଗାର ଯୋଗାଇବା ପ୍ରଥମ କାମ ହେବାକୁ ଯାଉଛି ।
ପ୍ରାୟ ୨୨ ଲକ୍ଷ ପିଲା ଆଇଟି କ୍ଷେତ୍ରରେ ସିଧାସଳଖ ନିଯୁକ୍ତି ପାଇପାରିବେ ବୋଲି ଅଖିଳେଶ ଯାଦବ କହିଛନ୍ତି । କେବଳ ଏତିକି ନୁହେଁ ବରଂ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତରେ କୃଷକଙ୍କ କ୍ଷେତକୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍ ଦିଆଯିବ । ପେନସନ ଯୋଜନା ପୁଣି ଲାଗୁ କରାଯିବ ବୋଲି ଅଖିଳେଶ କହିଛନ୍ତି । ଏପରିକି ନିର୍ବଚାନ ପାଖେଇ ଆସୁଥିବାରୁ ଦଳ ଘରକୁ ଘର ଯାଇ ସମ୍ପୂର୍ଣ୍ଣ ପ୍ରଚାର କରିବାକୁ ପ୍ରସ୍ତୁତ ଅଛି ବୋଲି ଅଖିଳେଶ ଯାଦବ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।