ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଗତବର୍ଷ କଂଗ୍ରେସ ଦଳରେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଅନେକଥର ପ୍ରଶାନ୍ତ କିଶୋର ଗାନ୍ଧୀ ପରିବାରଙ୍କ ସହ ବୈଠକ କରୁଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା । ଏପରି ଲାଗୁଥିଲା ଯେପରି ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ମିଶି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିବେ । ହେଲେ ଏହା କେବଳ ଅନୁମାନରେ ହିଁ ରହିଯାଇଥିଲା । କାହିଁକିନା କିଛି ଦିନ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ବିରୋଧରେ ଅନେକ କଥା ଗଣମାଧ୍ୟମ ନିକଟରେ କହିଥିଲେ । ଏପରିକି କଂଗ୍ରେସ ୫୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରିପାରିବ ନାହିଁ । ଏବଂ ଯଦି ପରାସ୍ତ କରେ ତଥାପି ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ସାରା ଦେଶରେ ବଜାୟ ରହିବ ବୋଲି କହିଥିଲେ । ଏଖବର ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ପ୍ରଶାନ୍ତ କଂଗ୍ରେସରେ ମିଶିବେନି । କିନ୍ତୁ କେବଳ ପ୍ରଶାନ୍ତଙ୍କ ବୟାନ ଛଡ଼ା ଲୋକମାନଙ୍କ ପାଖରେ ଦଳ ଛାଡ଼ିବାର ମୂଳ କାରଣ କଣ ତାହା ଜଣାପଡ଼ିନଥିଲା ।
ଏହା ମଧ୍ୟରେ ପ୍ରଶାନ୍ତ କିଶୋରଙ୍କୁ ନେଇ ପ୍ରିୟଙ୍କା ଗାନ୍ଧୀ ମୁହଁ ଖୋଲିଥିବାର ଦେଖିବାକୁ ମିଳିଥିଲା । ତେବେ ଅନେକ କାରଣରୁ ପ୍ରଶାନ୍ତ କଂଗ୍ରେସ ଦଳରେ ମିଶିନାହାନ୍ତି । ଉଭୟଙ୍କ ପାଶ୍ୱର୍ରୁ ଅନେକ କଥା ସାମ୍ନାକୁ ଆସିଥିଲା । ଫଳରେ ଉଭୟ ହିଁ ଏଥିରେ ସହମତି ଦେଖାଇନଥିଲେ । ଫଳରେ ଦଳରେ ମିଶାବା କଥା ଆଗକୁ ବଢ଼ିପାରିନଥିଲା । ଏପରିକି କଂଗ୍ରେସରେ ଜଣେ ବାହାର ଲୋକ ମିଶିବା କଥା ଏହାର ଉପଯୁକ୍ତ କାରଣ ନୁହଁ । ଯଦି ଏପରି ହୋଇଥାନ୍ତା ତାହାଲେ କଥା ଏତେ ଆଗକୁ ଯାଇନଥାନ୍ତା ବୋଲି ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେପଟେ ଗତବର୍ଷ ପ୍ରଶାନ୍ତ କିଶୋର ଗାନ୍ଧୀ ପରିବାରଙ୍କ ସହ ଅନେକ ଥର ବୈଠକ କରିଥିଲେ । କଂଗ୍ରେସରେ ପ୍ରଶାନ୍ତ ମିଶିବା ନେଇ ଚାରିପଟେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଠିକ ଏହି ସମୟରେ ପ୍ରଶାନ୍ତ କଂଗ୍ରେସ ବିରୋଧରେ କହି ଚର୍ଚ୍ଚାରେ ରହିଥିଲେ ।
ତେବେ କଂଗ୍ରେସର ନେତୃତ୍ୱ କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଅଧିକାର ନୁହେଁ । କାହିଁକିନା ଗତ ୧୦ ବର୍ଷକୁ ଯଦି ଆମେ ଦେଖିବା ତାହାଲେ ଦଳ ପ୍ରାୟ ୯୦ ପ୍ରତିଶତ ନିର୍ବାଚନ ହାରିଛି । ଯଦି ନେତୃତ୍ୱ ପରିବର୍ତ୍ତନ କରାନଯାଏ ତାହାଲେ ଏପରି ଆଗକୁ ମଧ୍ୟ ହେଉଥିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏହା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶାନ୍ତ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା । ତେବେ ବିଜେପିକୁ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ହରାଇବା ଅସମ୍ଭବ । କିନ୍ତୁ ଏ କଥା ରାହୁଲ ଗାନ୍ଧୀ ଜାଣିପାରୁ ନାହାନ୍ତି ।
ଏପରିକି ବିଜେପି ହାରୁ କିମ୍ବା ଜିତୁ ଦେଶର ରାଜନୀତିର କେନ୍ଦ୍ରରେ ରହିବ । ସ୍ୱାଧୀନତାର ୫୦ ବର୍ଷ କଂଗ୍ରେସ ଯେପରି ଥିଲା, ସେହିିପରି ବିଜେପି ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ଭାରତରେ ରହିବ ବୋଲି ପ୍ରଶାନ୍ତ କିଶୋର କହିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ପ୍ରଶାନ୍ତ ଆଉ କଂଗ୍ରେସରେ ମିଶିବେନି । ଅନ୍ୟପଟେ ପଞ୍ଜାବ ନିର୍ବାଚନରେ କ୍ୟାପଟେନଙ୍କୁ ପ୍ରଶାନ୍ତ ଅନେକ ସାହାଯ୍ୟ କରିଥିଲେ । ଏପରିକି ତାଙ୍କ ଜିତିବା ପଛରେ ପ୍ରଶାନ୍ତଙ୍କ ରଣନୀତି ରହିଛି ବୋଲି ଅନୁମାନ କରାଯାଏ ।