ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବଚାନ ଉପରେ ସାରା ଦେଶର ନଜର ରହିଛି । ଏପରିକି ଅନେକ ରାଜନୈତିକ ଦଳମାନେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଲେଣି । କିନ୍ତୁ ବିରୋଧୀ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ? ସେନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ପରୋକ୍ଷରେ ନିଜ ଆଡ଼କୁ ଇସାରା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ? ଏହାର ଉତ୍ତର ଦେଇଦେଇଛନ୍ତି । ତେବେ ଆଜି ନିର୍ବାଚନୀ ଇସ୍ତିହାର ଘୋଷଣା ବେଳେ ୟୁପିରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଫେସ୍ କିଏ ହେବ ତାକୁ ନେଇ ପ୍ରଶ୍ନ ପଚରା ଯାଇଥିଲା। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ‘ୟୁପିରେ କଂଗ୍ରେସ ଦଳରୁ ଆପଣ ଅନ୍ୟ କାହାର ଚେହେରା ଦେଖୁଛନ୍ତି କି? ମୋ ଚେହେରା ଆପଣମାନଙ୍କୁ ଦୃଶ୍ୟମାନ ହେଉ ନାହିଁ।’
ଏଭଳି କିଛି କହି ସେ ନିଜ ଆଡକୁ ଇସାରା କରିଥିଲେ। ଅନ୍ୟପଟେ ଚଳିତ ବର୍ଷ ନିର୍ବାଚନରେ ମହିଳାଙ୍କୁ ଅଧିକ ଫୋକସ କରୁଥିବାର ଦେଖିବାକୁ ମିଳିଛି । ଏନେଇ ପ୍ରିୟଙ୍କା ଗାନ୍ଧୀ ‘ଲଡକି ହୁଁ ଲଡ ସକତି ହୁଁ’ ବୋଲି ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ । ଏସବୁ ଛଡ଼ା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀରେ କଂଗ୍ରେସ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିବାର ଦେଖିବାକୁ ମିଳିଛି । ଏହା ସହ ରାଜ୍ୟରେ ଯୁବଶକ୍ତିକୁ ନେଇ ଆଗକୁ ବଢ଼ିବାରେ ରୋଡମ୍ୟାପ କଂଗ୍ରେସ ତିଆରି କରିଥିବାର ଦେଖିବାକୁ ମିଳିଛି । ଚଳିତଥର କଂଗ୍ରେସ ସର୍ତ୍ତାକୁ ଆସିଲେ ୨୦ ଲକ୍ଷ ଚାକିରୀ ସହ ୮ ଲକ୍ଷ ମହିଳାଙ୍କୁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ କରିଛି । ବର୍ତ୍ତମାନ ଦେଖିବାର ବିଷୟ ୟୁପିରେ କିଏ ବାଜି ମାରୁଛି ?