କୋଭିଡ ସଂକ୍ରମଣରେ ସଂକ୍ରମିତ ହେଲେ ଦକ୍ଷିଣ-ପୂର୍ବାଞ୍ଚଳ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ

କରୋନା କବଜାରେ ପୁଣି ଆଉ ଜଣେ ମନ୍ତ୍ରୀ । କୋଭିଡ ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ । ଏହାକୁ ନେଇ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ତା ସହିତ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରହି କୋଭିଡ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜି. କିଶାନ ରେଡ୍ଡୀ ଟ୍ବିଟ୍‌ କରି କହିଛନ୍ତି ଯେ,”ମୁଁ କରୋନାରେ ସଂକ୍ରମିତ ହୋଇଛି । ମୋ ଦେହରେ ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିଲା । ଏହାପରେ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ କୋଭିଡ ପ୍ରଟୋକଲ ମାନି ଆଇସୋଲେସନରେ ରହିଛି । ଗତ କିଛିଦିନ ମଧ୍ୟର ମୋ ସଂସ୍ପର୍ଶରେ ଯେଉଁମାନେ ବି ଆସିଥିଲେ ସେମାନେ ମଧ୍ୟ ସଂଗରୋଧରେ ରହି କୋଭିଡ ପରୀକ୍ଷା କରାଇ ନେବାକୁ ମୁଁ ନିବେଦନ କରୁଛି ।”

ସୂଚନାଯୋଗ୍ୟ, କରୋନା ସଂକ୍ରମିତ ଥିଲେ ସୁଦ୍ଧା ଆଜି ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଏକ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ‘ଆଜାଦୀ ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର୍‌’ ଶୀର୍ଷକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଏତେଟା ଗୁରୁତର ନଥିବା ନେଇ ସେ ସୂଚନା ଦେଇଛନ୍ତି ।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୭ ହଜାର ୫୩୨ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ପ୍ରତିଦିନ ପଜିଟିଭିଟି ରେଟ୍‌ ୧୬.୪୧ ପ୍ରତିଶତ ରହିଛି । ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts